- ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ମୟୁରଭଞ୍ଜ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଆଇଜି
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଜାମଶୋଳା ଠାରେ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ପାଇଁ ଓଡ଼ିଶା ଜର୍ଣ୍ଣାଲିଷ୍ଟସ ୟୁନିଅନ (ଓଜେୟୁ) ପକ୍ଷରୁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ସଦସ୍ୟ ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ମୟୁରଭଞ୍ଜ ଜିଲ୍ଲା ସଭାପତି ଅଭିଜିତ ମହାନ୍ତି ଓ ଜିଲ୍ଲା ସମ୍ପାଦକ ସାରଦା ପ୍ରସାଦ ବାରିକଙ୍କ ସହିତ ଅନ୍ୟତମ ସଦସ୍ୟ ସାମ୍ବାଦିକ ସୟେଦ ସିରାଜୁଦ୍ଦିନ ଏବଂ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସ ପୂର୍ବଞ୍ଚଳ ଆଇଜି ବାଲେଶ୍ଵର ପିନାକ ମିଶ୍ର ଙ୍କୁ ସାକ୍ଷାତ କରି ଘଟଣାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଓଡ଼ିଶା ଜର୍ଣ୍ଣାଲିଷ୍ଟସ ୟୁନିଅନ (ଓଜେୟୁ) ରାଜ୍ୟ ସଂଘ ପକ୍ଷରୁ ୩୦ ସେପ୍ଟେମ୍ବରରେ ଡିଜିପିଙ୍କୁ ଦିଆଯାଇଥିବା ଦରଖାସ୍ତରେ ଦର୍ଶାଯାଇଛି ଯେ, ସରସକଣା ବ୍ଲକର ପ୍ରଗତିବାଦୀ ଖବରକାଗଜର ବ୍ଲକ ପ୍ରତିନିଧି ତଥା ଓଜେୟୁ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ଦାସଙ୍କୁ ସେପ୍ଟେମ୍ବର ୨୭ ରାତିରେ ଜାମଶୋଳା ଠାରେ ମାଫିଆଙ୍କ ଦ୍ୱାରା ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ. ଘଟଣା ପରେ ଝାରପୋଖରିଆ ଥାନାରେ ଅଭିଯୋଗ ଦାଖଲ ହୋଇ ମାମଲା ରୁଜୁ ହୋଇଛି. ତେବେ ଏହି ଘଟଣାରେ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଓଜେୟୁ ଦାବି କରିଛି।
ଆଇଜି ଶ୍ରୀ ମିଶ୍ରଙ୍କ ସହ ଆଲୋଚନା ସମୟରେ ଟିମ ପକ୍ଷରୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ସହ ଛିନତାଇ ହୋଇଥିବା ମୋବାଇଲ ଫୋନକୁ ତୁରନ୍ତ ଠାବକରି ଫେରସ୍ତ ପାଇଁ ଦାବି କରାଯାଇଥିଲା। ଆଇଜି ଘଟଣାକୁ ଗୁରୁତର ସହ ନେଇ ବାରିପଦା ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଆଇନାନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓଜେୟୁ ଫ୍ୟାକ୍ସ ଫାଇଣ୍ଡିଙ୍ଗ ଟିମ ପକ୍ଷରୁ ସୂଚନା ଦିଆଯାଇଅଛି l
