ବାରିପଦା: “ରକ୍ତଦାନ ଏକ ମହତ୍ ଓ ପୁଣ୍ୟ କର୍ମ” ଉକ୍ତିକୁ ଆଧାର କରି ନିୟମିତ ରକ୍ତଦାନ କରିଆସୁଥିବା ଡ଼. ଅକ୍ଷୟ କୁମାର ମହାନ୍ତି ଆଜି ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ଜଣେ ସିକିଲ ସେଲ ରୋଗୀ ପାଇଁ ରକ୍ତଦାନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ବାରିପଦାସ୍ଥିତ ଓଡ଼ିଶା ରକ୍ତ କେନ୍ଦ୍ରରେ ଡା. ମହାନ୍ତି ନିଜର ୪୪ତମ ଥର ପାଇଁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।ସୂଚନା ଅନୁଯାୟୀ, ଜଣେ ସିକିଲସେଲ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ଖବର ପାଇବା ପରେ ଡା. ମହାନ୍ତି ତୁରନ୍ତ ରକ୍ତ କେନ୍ଦ୍ରରେ ପହଞ୍ଚିଥିଲେ। ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ସେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ I ତାଙ୍କର ଏହି ପଦକ୍ଷେପ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରଣା ଯୋଗାଇବ ବୋଲି ଅନ୍ୟତମ ନିୟମିତ ରକ୍ତଦାତା ସୋମନାଥ ସିଂହ ପ୍ରକାଶ କରିଛନ୍ତି I
ରକ୍ତର କୌଣସି କୃତ୍ରିମ ବିକଳ୍ପ ନଥିବାରୁ ରକ୍ତଦାତାଙ୍କ ଅବଦାନ ରୋଗୀଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ ବୋଲି ରକ୍ତଦାତା ତଥା ସାମ୍ବାଦିକ ହିମାଂଶୁ ଶେଖର ପ୍ରହରାଜ କହିଛନ୍ତି I ତେଣୁ ରକ୍ତଦାନ ଜଣେ ରକ୍ତଦାତାଙ୍କ ମାଧ୍ୟମରେ ଏକାଧିକ ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ I ବିଶେଷକରି ସିକିଲସେଲ, ଥାଲାସେମିଆ, ଦୁର୍ଘଟଣାଗ୍ରସ୍ତ ଓ ଗୁରୁତର ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ରହିଥାଏ I ଏହି ଅବସରରେ ଡ଼. ମହାନ୍ତିଙ୍କୁ ଆୟୋଜକ ତଥା ରକ୍ତଦାତା ଅରବିନ୍ଦ ମୁଖି, ଶ୍ରୀ ସିଂହ ଓ ଶ୍ରୀ ପ୍ରହରାଜ ଉତ୍ତରୀୟ ଓ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ I
