IMG 20261001 WA0347

 ବାମନଘାଟି ଉପଖଣ୍ଡରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ–୨୦୨୬ ପାଳିତ

ରାଜ୍ୟ
ବାରିପଦା: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ–୨୦୨୬ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୭ ଘଟିକା ସମୟରେ ସ୍ଥାନୀୟ ମହତାବ ଭବନ ଠାରେ ସ୍ୱାସ୍ଥ୍ୟ ସଚେତନତା ଉଦେଶ୍ୟରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ସାମୁହିକ ଯୋଗାସନ କରାଯାଇଥିଲା। ପରେ ପରେ  ” ମା ପାଇଁ ଗଛଟିଏ ” ଅଭିଯାନକୁ ସ୍ମରଣୀୟ ତଥା ଜୀବ ଜଗତ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି  ଦିଗରେ ବୃକ୍ଷର ଆବଶ୍ୟକତା ସମ୍ପର୍କିତ ସଚେତନତା ସୃଷ୍ଟି ଉଦେଶ୍ୟରେ ମହୁଲଡିହା ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ବୃକ୍ଷ ଚାରା ରୋପଣ କରାଯାଇଥିଲା । ଦିବସ ପାଳନ ଅବସରରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ସୌଜନ୍ୟରୁ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ପରେ ପରେ ମହତାବ ଭବନ ଠାରେ ଉପଖଣ୍ଡ ସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିଲା। ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ, ବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଜେନା ଓ ସ୍ୱତନ୍ତ୍ର ଅତିଥି ଭାବେ ଡାକ୍ତର ସାଜିଦ ଖାନ, ଏଡ଼ଭୋକେଟ ସୁଧାଂଶୁ ଶେଖର ମହାନ୍ତ ଯୋଗ ଦେଇଥିଲେ। ବରିଷ୍ଠ ବ୍ୟକ୍ତିମାନଙ୍କ ପ୍ରତି ସମ୍ମାନ, ସେମାନଙ୍କ ଅଧିକାରର ସୁରକ୍ଷା, ସାମାଜିକ ନିରାପତ୍ତା ଓ ସୁସ୍ଥ ଜୀବନଯାପନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ଅତିଥିବୃନ୍ଦ, ବରିଷ୍ଠ ବ୍ୟକ୍ତିମାନେ ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ମତବ୍ୟକ୍ତ କରିଥିଲେ। ସେମାନଙ୍କ ଜୀବନ ଅନୁଭବ, ଜ୍ଞାନ ଓ ଅବଦାନ ଆଗାମୀ ପିଢ଼ି ପାଇଁ ମାର୍ଗଦର୍ଶକ ହୋଇଥାଏ। ତେଣୁ ବୟସ୍କ ବ୍ୟକ୍ତିମାନଙ୍କୁ ଏକାକୀତ୍ୱ, ଅବହେଳା ଓ ବିଭିନ୍ନ ସାମାଜିକ ସମସ୍ୟାରୁ ମୁକ୍ତ ରଖି ସେମାନଙ୍କୁ ସମ୍ମାନଜନକ ଓ ସୁରକ୍ଷିତ ଜୀବନ ପ୍ରଦାନ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ।
ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ମାନସିକ ସୁସ୍ଥତା, ସରକାରୀ କଲ୍ୟାଣକାରୀ ଯୋଜନାର ସୁବିଧା ଏବଂ ସେମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୟସ୍କମାନଙ୍କ ପ୍ରତି ସମ୍ମାନ ଓ ଯତ୍ନର ଭାବନା ସୃଷ୍ଟି ପାଇଁ ଯୁବପିଢ଼ି ଓ ସମାଜର ସମସ୍ତ ବର୍ଗଙ୍କୁ ଆହ୍ୱାନ କରାଯାଇଥିଲା।
ଏହି ଅବସରରେ ଅତିଥି ମାନେ ଵୟୋଜ୍ୟୋଷ୍ଠ ବରିଷ୍ଠ ନାଗରିକ ତଥା ରାଇରଙ୍ଗପୁର ବରିଷ୍ଠ ନାଗରିକ ସଙ୍ଘର ପ୍ରାକ୍ତନ  ସଭାପତି  ଶ୍ରୀ ରସାନନ୍ଦ ଲେଙ୍କା ଓ ପ୍ରାକ୍ତନ ସମ୍ପାଦକ ଶ୍ରୀ ମକରଧ୍ୱଜ ସାମଲ ଏବଂ ବର୍ତ୍ତମାନର ସଭାପତି ଓ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ କୁମାର ବସା ଓ ନିରୋଜ କୁମାର ପଣ୍ଡାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ ଓ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରେ ପରେ ବରିଷ୍ଠ ନାଗରିକଙ୍କ ଦ୍ୱାରା ଏକ ସଚେତନଧର୍ମୀ କ୍ଷୁଦ୍ର ନାଟକ ଓ ରାଇରଙ୍ଗପୁର ର ଭରତ ଚନ୍ଦ୍ର ବେହେରା ଓ ନଗେନ୍ଦ୍ର ବାରିକଙ୍କ ଦ୍ୱାରା ଦାସକାଠିଆ ପରିବେଷଣ କରାଯାଇଥିଲା
କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ଅନିତା ରାଣୀ ମହାନ୍ତ, ତହସିଲଦାର ଭବାନୀ ପ୍ରସାଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଆଇ ଆଇ ସି ରଞ୍ଜନ କୁମାର ସେଠୀ, ଅନ୍ୟାନ୍ୟ ବିଭଗୀୟ ଅଧିକାରୀ ଓ କର୍ମଚାରୀ, ରାଇରଙ୍ଗପୁର ବରିଷ୍ଠ ନାଗରିକ ସଙ୍ଘର ସଭାପତି, ସମ୍ପାଦକ ଓ ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। କାଯ୍ୟକ୍ରମକୁ ଵିଏସଏସଓ  ମିସ ସୋମବାରି ମୁର୍ମୁ ପରିଚାଳନା କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସଂଚାଳନ କରିଥିଲେ।