IMG 20261001 WA0336

ମୁଖ୍ୟ ନିର୍ବାଚନ କମିଶନରଙ୍କ ବରଖାସ୍ତ ଓ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବାମ ଦଳର ବିକ୍ଷୋଭ 

ରାଜ୍ୟ
ବାରିପଦା: ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର୍) ନାମରେ ଯୋଗ୍ୟ ନାଗରିକଙ୍କ ମତାଧିକାର ବଞ୍ଚିତ ହେବା, ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା, ନିର୍ବାଚନ ଆୟୋଗର ସ୍ଵାଧୀନତା ଓ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ପାରିବା ପଣିଆ ନେଇ ଗମ୍ଭୀର ପ୍ରଶ୍ନ ଉଠିଥିବା ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ସିପିଆଇ ଓ ସିପିଏମ ପକ୍ଷରୁ ମିଳିତ ଭାବେ ବାରିପଦା ବସ୍ ଷ୍ଟାଣ୍ଡ ରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ସାଥୀ ରଘୁନାଥ ପଣ୍ଡା ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।
ନେତୃବୃନ୍ଦ କହିଥିଲେ ମତାଧିକାର ଗଣତନ୍ତ୍ରର ମୂଳ ପିଣ୍ଡ। ତେଣୁ ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ ଓ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପୁର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ, ଆଇନ୍ ସମ୍ମତ ଓ ଯାଞ୍ଚ ଯୋଗ୍ୟ ହେବା ଜରୁରୀ। ପ୍ରଶାସନିକ ତୃଟି, ସଫ୍ଟୱେର ସମସ୍ୟା,ଦଲିଲର ଅସ୍ପଷ୍ଟତା ପ୍ରକ୍ରିୟାର ଆଳରେ ଯୋଗ୍ୟ ନାଗରିକଙ୍କୁ ଭୋଟ୍ ଅଧିକାରରୁ ବଂଚିତ କରାଯାଇ ପାରିବ ନାହିଁ। ଗଣମାଧ୍ୟମରେ ପ୍ରକାଶିତ ଗତ ୨୩ ତାରିଖ ରିପୋର୍ଟକୁ ଭିତ୍ତିକରି ବକ୍ତାମାନେ ଅଭିଯୋଗ ଆଣିଥିଲେ ଯେ,ଗତ ଦଶ ମାସରେ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଭୋଟର ପଞ୍ଜିକରଣ,ନାମ ବାଦ୍ ଓ ପୁନଃ ସଂଯୋଗ,ଏସ ଆଇ ଆର୍ ଓ ନିର୍ବାଚନୀ ସଂକ୍ରାନ୍ତୀୟ ପରିଚାଳନା ନେଇ ଅନ୍ତତଃ ୧୪ ଥର ଆପତ୍ତି ଉଠାଇଥିବା ଦାବି ହୋଇଛି। ନିର୍ବାଚନୀ ତଥ୍ୟ ଭଣ୍ଡାରର କେନ୍ଦ୍ରୀ କରଣ ଓ ଭୋଟର ତଥ୍ୟ ପରିଚାଳନାକୁ ନେଇ ଗୁରୁତର ସାମ୍ବିଧାନିକ ପ୍ରଶ୍ନ ଉଠିଛି। ନିର୍ବାଚନୀ ବ୍ୟବସ୍ଥାର ବିଶ୍ଵାସନୀୟତା କୋ୍ଣସି ଏକ ଦଳର ପ୍ରଶ୍ନ ନୁହେଁ।
ଏହା ଭାରତୀୟ ଗଣତନ୍ତ୍ର,ମତାଧିକାର ଓ ସମ୍ବିଧାନର ମୌଳିକ ପ୍ରଶ୍ନ। ଅତଏବ, ଅଗଣତାନ୍ତ୍ରିକ ଏବଂ ଏକଛତ୍ରବାଦୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ କରି, ତାଙ୍କ ବିରୋଧରେ ଉଠିଥିବା ସମସ୍ତ ପ୍ରଶ୍ନର ସ୍ଵାଧୀନ ଓ ନିରପେକ୍ଷ ତଦନ୍ତ,ଏସ ଆଇ ଆର୍ ତୁରନ୍ତ ବନ୍ଦ କରିବା, ଅନ୍ୟାୟ ଭାବେ ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ପୁନଶ୍ଚ ଯୋଡ଼ିବା, ନିର୍ବାଚନ ଆୟୁକ୍ତ ନିଯୁକ୍ତି ବ୍ୟବସ୍ଥାରେ ସର୍ବୋଚ୍ଚ ଅଦାଲତର ମାର୍ଗ ଦର୍ଶିକାକୁ କାର୍ଯକାରୀ କରିବା ସହିତ ପିଲାଙ୍କ ଭବିଷ୍ୟତ ସହ ଖେଳିଥିବା ଅପାରଗ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କ ଇସ୍ତଫା ଦାବି କରାଯାଇଛି। ଏମ୍ ଏମ୍ ଡି ଆର୍ ସଂଶୋଧନ ଆଇନ୍ – ୨୦୨୬ ର ପ୍ରତ୍ୟାହାର, ଦେଶର ମୁଖ୍ୟ ନିର୍ବାଚନ କମିଶନରଙ୍କ ବରଖାସ୍ତ, ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଇତ୍ୟାଦି ଜନଦାବି ନେଇ  ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆସନ୍ତା ୮ ତାରିଖ ଗୁରୁବାର ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି।
ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ସିପିଏମ ର ରବି ଗୋସ୍ୱାମୀ ବକ୍ତବ୍ୟ ରଖିଥିବା ବେଳେ ସୁବାସ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିପିଆଇର ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ବସନ୍ତ କୁମାର ନାଏକ, ମଧୁସୂଦନ ଦଳ ନାଏକ, ମୁକେଶ ମହାନ୍ତ, ଦେବେନ୍ଦ୍ର ବେହେରା, ପ୍ରଫୁଲ୍ଲ ମହାନ୍ତି, ସୁଜିତ କର୍ମକାର, ଶତୃଘ୍ନ ପ୍ରଧାନ, ସିପିଏମ ପକ୍ଷରୁ ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ମନୋରଞ୍ଜନ ପରିଡା,ଖିତିଶ ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।