IMG 20261001 WA0371

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ରାଜ୍ୟ
  • ବରିଷ୍ଠ ନାଗରିକଙ୍କ ଅନୁଭବ ଓ ଜ୍ଞାନ ସମାଜର ମୂଲ୍ୟବାନ ସମ୍ପଦ: ଭାରତୀ ହାଁସଦା
ବାରିପଦା: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବାରିପଦାସ୍ଥିତ ସହିଦ୍ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ଏହି ଅବସରରେ ବାରିପଦା ସହରର ତିନୋଟି ବରିଷ୍ଠ ନାଗରିକ ସଂଘ, ବାରିପଦା ବ୍ଲକ ଏବଂ ବରିଷ୍ଠ ନାଗରିକ ଗୃହରୁ ଯୋଗଦେଇଥିବା ୧୭୦ ଜଣ ବରିଷ୍ଠ ନାଗରିକଙ୍କୁ ପୁଷ୍ପ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଦିବସ ପାଳନ ଅବସରରେ ଯୋଗ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା, ସାଇବର ସଚେତନତା, ବିଭିନ୍ନ ପ୍ରତିଯୋଗିତା, ଅନ୍ତଃପିଢ଼ି ବନ୍ଧନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଡେପୁଟି ଜିଲ୍ଲାପାଳ ଶ୍ରଦ୍ଧା ସୁମନ ଏବଂ ଆର୍‌ଡିଏସି ସମ୍ପାଦକ ବିଜୟ କୁମାର ବେହେରା ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା କହିଥିଲେ ଯେ, ବରିଷ୍ଠ ନାଗରିକମାନେ ସମାଜର ଅନୁଭବୀ ଓ ମାର୍ଗଦର୍ଶକ । ସେମାନଙ୍କ ଅନୁଭବ, ଜ୍ଞାନ ଓ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ି ପାଇଁ ମୂଲ୍ୟବାନ ସମ୍ପଦ । ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ଓ ମର୍ଯ୍ୟାଦା ନିଶ୍ଚିତ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ କହିଥିଲେ ଯେ, ବରିଷ୍ଠ ନାଗରିକଙ୍କ ସୁସ୍ଥ ଓ ସୁରକ୍ଷିତ ଜୀବନ ପାଇଁ ପରିବାର, ସମାଜ ଓ ପ୍ରଶାସନର ସମନ୍ୱିତ ଭୂମିକା ଆବଶ୍ୟକ । ସ୍ୱାସ୍ଥ୍ୟ ଯତ୍ନ ସହ ସାମାଜିକ ସୁରକ୍ଷା ଓ ସାଇବର ଠକେଇରୁ ସୁରକ୍ଷା ସମ୍ପର୍କରେ ବରିଷ୍ଠ ନାଗରିକମାନେ ସଚେତନ ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଦିବସ ପାଳନର ପ୍ରାରମ୍ଭରେ ଯୋଗ ଶିବିର ଆୟୋଜିତ ହୋଇଥିଲା । ଆର୍ଟ ଅଫ୍ ଲିଭିଂ ସଂସ୍ଥାର ଯୋଗ ସଂଯୋଜକ ତଥା ଯୋଗ ଶିକ୍ଷକ ଶ୍ରୀ କୌଶିକ ସାହୁ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ଯୋଗାସନ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲର ବିଶେଷଜ୍ଞମାନଙ୍କ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ଜିଲ୍ଲା ସାଇବର କ୍ରାଇମ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ଜେନା ସାଇବର ଠକେଇର ବିଭିନ୍ନ ଉପାୟ ଏବଂ ଏଥିରୁ ସୁରକ୍ଷା ପାଇଁ ଅବଲମ୍ବନୀୟ ସତର୍କତା ସମ୍ପର୍କରେ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିଥିଲେ । ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଦିବସ ପାଳନର ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଥିଲା ସରକାରୀ ଇଟିଇଆଇ, ବାରିପଦାଠାରେ ଆୟୋଜିତ ‘ଅନ୍ତଃପିଢ଼ି ବନ୍ଧନ’ କାର୍ଯ୍ୟକ୍ରମ । ଏଥିରେ ବରିଷ୍ଠ ନାଗରିକମାନେ ପ୍ରଶିକ୍ଷୁ ଶିକ୍ଷକମାନଙ୍କ ସହ ନିଜ ଜୀବନର ଅନୁଭୂତି ଓ ଅଭିଜ୍ଞତା ବିନିମୟ କରିବା ସହ ବିଭିନ୍ନ ମନୋରଞ୍ଜନମୂଳକ ଖେଳ ଓ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଯୁବ ଓ ବୟୋଜ୍ୟେଷ୍ଠ ପିଢ଼ି ମଧ୍ୟରେ ଭାବ ବିନିମୟ ଓ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାର ସୁଯୋଗ ସୃଷ୍ଟି କରିଥିଲା ।
 ପରିଶେଷରେ ବାସ୍ତବ ନାଟ୍ୟ ସଂସ୍ଥା ପକ୍ଷରୁ ‘ପରେ କହିବି’ ଶୀର୍ଷକ ନାଟକ ପରିବେଷଣ କରାଯାଇଥିଲା । ନାଟକଟି ଉପସ୍ଥିତ ବରିଷ୍ଠ ନାଗରିକ ଓ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପୀନାଥ ସଏ କାର୍ଯ୍ୟକ୍ରମର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀ ସକ୍ରିୟ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।