ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ମୟୂରଭଞ୍ଜରେ ୪୪ ଦିନିଆ ଅଭିଯାନ

ରାଜ୍ୟ
  • ୪୦୪ ଗ୍ରାମ ପଞ୍ଚାୟତରେ ସଚେତନତା, ପଦଯାତ୍ରା, ଶିଶୁ ଶ୍ରମିକ ଉଦ୍ଧାର ଓ ପୁନର୍ବାସ ଉପରେ ଗୁରୁତ୍ୱ
ବାରିପଦା: ଶିଶୁ ଶ୍ରମ ପ୍ରଥାର ନିରାକରଣ ତଥା ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଏକ ସୁନିଶ୍ଚିତ ଭବିଷ୍ୟତ ସହିତ ଯୋଡ଼ିବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ୪୪ ଦିନିଆ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ଆୟୋଜନ ହେବ। ଆସନ୍ତା ୨ ଅକ୍ଟୋବରରୁ ୧୪ ନଭେମ୍ବର, ଶିଶୁ ଦିବସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ମୟୂରଭଞ୍ଜ ଜିଲ୍ଲାର ୪୦୪ଟି ଗ୍ରାମ ପଞ୍ଚାୟତକୁ ସାମିଲ କରି ଏହି ଅଭିଯାନକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯିବ। ଅଭିଯାନ ଅବଧିରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ୨୦୨୯ ସୁଦ୍ଧା ନିଜ ଅଞ୍ଚଳକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରିବେ ।
ଏହି ଅବସରରେ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ, ପଦଯାତ୍ରା, ସଚେତନତା ସଭା, ସଂକଳ୍ପ ଗ୍ରହଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶିଶୁ ଶ୍ରମିକଙ୍କ ଚିହ୍ନଟ ଓ ଉଦ୍ଧାର ସହିତ ଉଦ୍ଧାର ହୋଇଥିବା ଶିଶୁମାନଙ୍କର ପୁନର୍ବାସ, ଶିକ୍ଷା ଏବଂ ଆବଶ୍ୟକୀୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ମଧ୍ୟ ଅଭିଯାନରେ ଗୁରୁତ୍ୱ ଦିଆଯିବ । ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ପ୍ରଶାସନିକ ପଦକ୍ଷେପ ସହିତ ଜନସଚେତନତା ଓ ସାମୂହିକ ଅଂଶଗ୍ରହଣ ଅତ୍ୟନ୍ତ ଆବଶ୍ୟକ । ଏଥିପାଇଁ ଗ୍ରାମ ପଞ୍ଚାୟତ ପ୍ରତିନିଧି, ଜନପ୍ରତିନିଧି, ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷକ, ଅଭିଭାବକ, ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କୁ ଅଭିଯାନରେ ସକ୍ରିୟ ଭାବେ ସାମିଲ କରାଯିବ ।
 ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ସମେତ ଜନସାଧାରଣଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇ ଏହାକୁ ସଫଳ କରିବା ସହ ଶିଶୁ ଶ୍ରମମୁକ୍ତ ମୟୂରଭଞ୍ଜ ଗଠନ ଦିଗରେ ସହଯୋଗ କାମନା କରାଯାଉଛି । ଜିଲ୍ଲା ଶ୍ରମ ଅଧିକାରୀ(ପ୍ରବର୍ତ୍ତନ) ଶ୍ରୀ ନିରଞ୍ଜନ ନାୟକ ଆଜି ପ୍ରେସ ବିବୃତି ମାଧ୍ୟମରେ ଅଭିଯାନର କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ସମେତ ଜନସାଧାରଣଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇ ଏହାକୁ ସଫଳ କରିବା ସହ ଶିଶୁ ଶ୍ରମମୁକ୍ତ ମୟୂରଭଞ୍ଜ ଗଠନ ଦିଗରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ।