IFWJ 750x430

ରାଷ୍ଟ୍ରୀୟ ସାମ୍ବାଦିକ ମହାସଂଘ ‘ଆଇଏଫ୍‌ଡବ୍ଲ୍ୟୁଜେ’ ସହ ଅନୁବନ୍ଧିତ ହେଲା ଓଡ଼ିଶାର ‘କେୟୁଡବ୍ଲ୍ୟୁଜେ’

ରାଜ୍ୟ

ଭୁବନେଶ୍ବର :  ସର୍ବଭାରତୀୟ ସାମ୍ବାଦିକ ମହାସଂଘ ‘ଇଣ୍ଡିଆନ ଫେଡେରେସନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ’ (IFWJ)ର ୧୩୨ତମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବିହାରର ଐତିହାସିକ ବୋଧଗୟାଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ସାମ୍ବାଦିକ ସଂଗଠନ ‘କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ’ (KUWJ)କୁ ଆନୁଷ୍ଠାନିକ ଭାବେ ଆଇଏଫ୍‌ଡବ୍ଲ୍ୟୁଜେ ସହିତ ସହବନ୍ଧିତ (Affiliated) କରାଯାଇଛି। ଏହା ସହିତ ବୈଠକରେ ବରିଷ୍ଠ ସାମ୍ବାଦିକ କେ. ବିଶ୍ୱଦେବ ରାଓଙ୍କୁ ଆଇଏଫ୍‌ଡବ୍ଲ୍ୟୁଜେର ନୂତନ ରାଷ୍ଟ୍ରୀୟ ମହାସଚିବ ଏବଂ ସନ୍ତୋଷ ଚତୁର୍ବେଦୀଙ୍କୁ ନ୍ୟାସନାଲ କନଫେଡେରେସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।

ଆଇଏଫ୍‌ଡବ୍ଲ୍ୟୁଜେ ରାଷ୍ଟ୍ରୀୟ ସଭାପତି ଗୋପାଳ ମିଶ୍ର ଓ ନୂତନ ମହାସଚିବ ଶ୍ରୀ ରାଓ ବୋଧଗୟା ସମ୍ମିଳନୀରେ କେୟୁଡବ୍ଲ୍ୟୁଜେର ଅନୁବନ୍ଧନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହି ଐତିହାସିକ ନିଷ୍ପତ୍ତି ଖବର ପ୍ରକାଶ ପାଇବା ପରେ କେୟୁଡବ୍ଲ୍ୟୁଜେର ରାଜ୍ୟ ସଭାପତି ମନୋଜ ଦାସ ଏବଂ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ଗଭୀର ଖୁସି ବ୍ୟକ୍ତ କରିଛନ୍ତି। ଏହି ସହବନ୍ଧିତା ରାଜ୍ୟର ଜିଲ୍ଲା ତଥା ବ୍ଲକସ୍ତରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଛି।

କେୟୁଡବ୍ଲ୍ୟୁଜେ ପକ୍ଷରୁ ରାଜ୍ୟ ଉପସଭାପତି ସୌରଭ ପଟ୍ଟନାୟକ ଏବଂ ସମ୍ପାଦକ ସତ୍ୟଜିତ ଦାଶ ବୋଧଗୟା ଗସ୍ତ କରି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପ୍ରତିନିଧିତ୍ୱ କରିଥିଲେ। ସେଠାରେ ଉପସ୍ଥିତ ରାଷ୍ଟ୍ରୀୟ ପଦାଧିକାରୀମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର, ନିର୍ମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟ ସଂଗଠନ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ପରେ ଏହି ସହବନ୍ଧିତା ଚୂଡ଼ାନ୍ତ ରୂପ ନେଇଥିଲା। ଏହି ନିଷ୍ପତ୍ତି ଫଳରେ ଏଣିକି ଜାତୀୟ ସ୍ତରର ସମସ୍ତ ବୈଠକ, ସମ୍ମିଳନୀ ତଥା ଉନ୍ନତମାନର ସାମ୍ବାଦିକତା ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର କେୟୁଡବ୍ଲ୍ୟୁଜେ ସଦସ୍ୟମାନେ ସିଧାସଳଖ ଅଂଶଗ୍ରହଣ କରିବାର ସୁଯୋଗ ଲାଭ କରିବେ।

ଏହି ଜାତୀୟ ସମ୍ମିଳନୀକୁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏଫ୍‌ଡବ୍ଲ୍ୟୁଜେ ଉପସଭାପତି ଜି. ଭୂପତି, ପ୍ରେମ କୁମାର ତିୱାରୀ, କୋଷାଧ୍ୟକ୍ଷ ରଜତ ମିଶ୍ର, ନ୍ୟାସନାଲ କନଫେଡେରେସନ ସଭାପତି ଇନ୍ଦୁକାନ୍ତ ଦୀକ୍ଷିତ, ଉପସଭାପତି ମନୋଜ ମିଶ୍ର ଏବଂ ପିଟିଆଇ ଫେଡେରେସନର ସାଧାରଣ ସମ୍ପାଦକ ବଳରାମ ଧୁଲିଆ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନର ଉପସଭାପତି ମୋହନ କୁମାର ସମଗ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

୨୦୨୩ ମସିହାରେ ଗଠିତ ଏବଂ ୨୦୨୫ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ପଞ୍ଜୀକୃତ ହୋଇଥିବା କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ (KUWJ) ସହିତ ବର୍ତ୍ତମାନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ସକ୍ରିୟ ଭାବେ ଯୋଡ଼ି ହୋଇଛନ୍ତି। ଜାତୀୟ ସ୍ତରରେ ମିଳିଥିବା ଏହି ମାନ୍ୟତା ଆଗାମୀ ଦିନରେ ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।