ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ବିକାଶନଗରସ୍ଥିତ ସ୍ୱଜଳଧାରା ଗୃହ ଠାରେ ପୂର୍ବତନ ସେନା କର୍ମଚାରୀ (Ex-Servicemen-ESM) ୟୁନିଟ୍ ରନ୍ କ୍ୟାଣ୍ଟିନ୍ (URC)ର ଆଜି ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଛତିଶଗଡ଼ ଏବଂ ଓଡ଼ିଶା ସବ୍-ଏରିଆ (କୋଷା)ର କମାଣ୍ଡର ବ୍ରିଗେଡିୟର ଆର୍. ଶଙ୍କର, ଭି ଏସ ଏମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତା’ଙ୍କ କରକମଳରେ ଏହାକୁ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କର୍ନେଲ ମନିଷ କୁମାର ପାଣ୍ଡେ, ମଧ୍ୟପ୍ରଦେଶ ରାଇପୁର ଓ ଷ୍ଟେସନ ହେଡକ୍ୱାର୍ଟର ବାଲେଶ୍ୱର ର ଆଡମିନ କମାଣ୍ଡେଣ୍ଟ ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇଥିଲେ।
ଲିଗ ପ୍ରେସିଡେଣ୍ଟ କ୍ୟାପଟେନ ଗୁରୁ ଚରଣ ହେମ୍ବ୍ରମ ସ୍ୱାଗତ ଭାଷଣ ପ୍ରଦାନପୂର୍ବକ କହିଥିଲେଯେ ରାଇରଙ୍ଗପୁରଠାରେ ୟୁଆର୍ସି ପ୍ରତିଷ୍ଠା ପୂର୍ବତନ ସେନା କର୍ମଚାରୀ, ସେବାରତ ସେନା କର୍ମଚାରୀ, ବୀର ନାରୀ, ସେନା କର୍ମଚାରୀଙ୍କ ନିର୍ଭରଶୀଳ ପରିବାର ସଦସ୍ୟ ଏବଂ ମୟୂରଭଞ୍ଜ, କେନ୍ଦୁଝର ଓ ଏହାର ଆଖପାଖ ଅଞ୍ଚଳର ଅନ୍ୟାନ୍ୟ ଅନୁମୋଦିତ ପ୍ରତିରକ୍ଷା ହିତାଧିକାରୀଙ୍କ କଲ୍ୟାଣ ଏବଂ ସି.ଏସ.ଡି. ସୁବିଧାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ୟୁଆର୍ସି ମାଧ୍ୟମରେ ପୂର୍ବତନ ସେନା କର୍ମଚାରୀ ଓ ଅନ୍ୟାନ୍ୟ ଅନୁମୋଦିତ ହିତାଧିକାରୀମାନେ ନିଜ ଅଞ୍ଚଳର ନିକଟରେ ସି ଏସ ଡି ସୁବିଧାର ସହଜ ଓ ଉନ୍ନତ ପ୍ରବେଶ ସୁଯୋଗ ପାଇପାରିବେ। ଫଳରେ ଅତ୍ୟାବଶ୍ୟକ ସି ଏସ ଡି ସାମଗ୍ରୀ ପାଇଁ ଦୂରଦୂରାନ୍ତକୁ ଯାତ୍ରା କରିବାର ଆବଶ୍ୟକତା ହ୍ରାସ ପାଇବ। ଅଞ୍ଚଳର ପ୍ରତିରକ୍ଷା ସମୁଦାୟ ନିକଟରେ କଲ୍ୟାଣକାରୀ ସେବାର ପରିସର ବୃଦ୍ଧି କରିବା ଉଦ୍ଦେଶ୍ୟରେ ହେଡକ୍ୱାର୍ଟରସ ମଧ୍ୟଭାରତ ଏରିଆ, ହେଡକ୍ୱାର୍ଟରସ ଛତିଶଗଡ଼ ଓ ଓଡ଼ିଶା ସବ୍-ଏରିଆ ଏବଂ ଷ୍ଟେସନ୍ ହେଡ୍କ୍ୱାର୍ଟର୍ସ ବାଲେଶ୍ୱର (ଚାନ୍ଦିପୁର-ଅନ୍-ସି)ର ସମନ୍ୱିତ ପ୍ରୟାସରେ ଏହି ୟୁଆର୍ସିର ପ୍ରତିଷ୍ଠା ସମ୍ଭବ ହୋଇଛି।
ଏହି ଅବସରରେ ମୁଖ୍ୟ ଅତିଥି ବ୍ରିଗେଡିୟର ଆର୍. ଶଙ୍କର, ଭି ଏସ ଏମ ତାଙ୍କ ବକ୍ତବ୍ୟରେ ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ କଲ୍ୟାଣକାରୀ ସୁବିଧାର ସମ୍ପ୍ରସାରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଶେଷକରି ଯେଉଁ ଅଞ୍ଚଳରେ ଏଭଳି ସୁବିଧା ପାଇବାର ସୁଯୋଗ ପୂର୍ବରୁ ସୀମିତ ଥିଲା, ସେଠାରେ ଏହାର ଆବଶ୍ୟକତା ଅଧିକ ବୋଲି ସେ କହିଥିଲେ। ରାଇରଙ୍ଗପୁର ୟୁଆର୍ସିକୁ କାର୍ଯ୍ୟକ୍ଷମ କରିବାରେ ସମସ୍ତ ଅଂଶୀଦାରଙ୍କ ସମନ୍ୱିତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ସେନାବାହିନୀର କର୍ମଚାରୀ , ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ , ପୂର୍ବତନ ସେନା କର୍ମଚାରୀ ଲିଗର ପ୍ରେସିଡେଣ୍ଟ ଓ ସଦସ୍ୟ ସମୁଦାୟଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ପୂର୍ବତନ ସେନା କର୍ମଚାରୀ ଓ ହିତାଧିକାରୀମାନଙ୍କ ସହ ସେମାନଙ୍କ କଲ୍ୟାଣ ସମ୍ପର୍କିତ ଆବଶ୍ୟକତା ନେଇ ଆଲୋଚନାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା।
ରାଇରଙ୍ଗପୁର ୟୁଆର୍ସି ମୟୂରଭଞ୍ଜ, କେନ୍ଦୁଝର ଓ ଏହାର ଆଖପାଖ ଅଞ୍ଚଳର ପ୍ରତିରକ୍ଷା ସମୁଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣକାରୀ ସୁବିଧା ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ଏହା ମାଧ୍ୟମରେ ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାରର କଲ୍ୟାଣ ଓ ସୁସ୍ଥତା ପ୍ରତି ଭାରତୀୟ ସେନାର ପ୍ରତିବଦ୍ଧତା ଆହୁରି ସୁଦୃଢ଼ ହେବ।ଷ୍ଟେସନ୍ ହେଡ୍କ୍ୱାର୍ଟର୍ସ ବାଲେଶ୍ୱର (ଚାନ୍ଦିପୁର-ଅନ୍-ସି) ନିଜ ଅଧୀନସ୍ଥ ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀ ସମୁଦାୟ ପାଇଁ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପର ସମନ୍ୱୟ ଓ ସୁବିଧା ପ୍ରଦାନ କାର୍ଯ୍ୟ ଜାରି ରଖିବ। ଏହି ଅବସରରେ ବ୍ରିଗେଡିୟର କେତେକ ଅବସରପ୍ରାପ୍ତ ଭେଟେରାନ ସେନା କର୍ମଚାରୀଙ୍କୁ ଦେଶର ସୁରକ୍ଷା ପାଇଁ ଦୀର୍ଘ କାଳୀନ ସେବା ଏବଂ ଦେଶ ପାଇଁ ପ୍ରାଣ ବଳି ଦେଇ ଶହୀଦ ହୋଇଥିବା ଯବାନଙ୍କ (ଧର୍ମ ପତ୍ନୀ /ମାତା) ବୀର ନାରୀ ଓ ବୀର ମାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
