IMG 20260923 WA0254

ବଡ଼ବେଲପାହାଡ଼ି ବିଦ୍ୟାଳୟରେ ୧୧୩ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୩ ଶିକ୍ଷକ

ରାଜ୍ୟ
  • ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟର ରୋଷେଇ ଘର
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ନୁଷାଡ଼ିହି ପଞ୍ଚାୟତର ବଡ଼ବେଲପାହାଡ଼ି ବିଦ୍ୟାଳୟରେ ଶିକ୍ଷକ ଅଭାବ ସାଙ୍ଗକୁ ରୋଷେଇ ଘରର ଅବ୍ୟବସ୍ଥା ଏବେ ଚିନ୍ତାର କାରଣ ହୋଇଛି। ସୂଚନା ଅନୁସାରେ, ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି। ଫଳରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହେବା ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ବିଦ୍ୟାଳୟର ରୋଷେଇ ଘରର ଅବସ୍ଥା ମଧ୍ୟ ଚିନ୍ତାଜନକ। ବର୍ଷା ହେଲେ ରୋଷେଇ ଘର ଭିତରକୁ ବର୍ଷା ପାଣି ପଡ଼ୁଥିବା ଅଭିଯୋଗ ହୋଇଛି। ଏଭଳି ଅସୁରକ୍ଷିତ ପରିସ୍ଥିତିରେ ରୋଷେଇ କାର୍ଯ୍ୟ ଚାଲିଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଏଥିସହିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ଖାଦ୍ୟର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ପାଣ୍ଡୁ ମାରାଣ୍ଡିଙ୍କ ସୂଚନା ଅନୁସାରେ, ବିଦ୍ୟାଳୟର ଶିକ୍ଷକ ଅଭାବ ଓ ରୋଷେଇ ଘରର ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।ତେବେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷକ ଅଭାବ ଦୂର କରିବା ସହ ରୋଷେଇ ଘରର ତୁରନ୍ତ ମରାମତି କରାଯିବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।