ବାରିପଦା : ପ୍ରତିକୂଳ ପରିସ୍ଥିତି ଏବଂ ଆର୍ଥିକ ଅନଟନ କେବେ ବି ପ୍ରତିଭାର ପ୍ରତିବନ୍ଧକ ସାଜି ପାରେନି, ଏହା ପୁଣିଥରେ ପ୍ରମାଣିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ପ୍ରତିଭାବାନ ଖେଳାଳି ସନ୍ଧ୍ୟାରାଣୀ ଟୁଡୁ। ସଂଘର୍ଷର ପାହାଡ଼ ଚଢ଼ି ସେ ଏବେ ସିଧାସଳଖ ଆନ୍ତର୍ଜାତୀୟ କ୍ରୀଡ଼ା ମହାକୁମ୍ଭ, ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ମହିଳା ରଗବୀ ଦଳରେ ସ୍ଥାନ ପାଇଛନ୍ତି I ଆସନ୍ତା ଅକ୍ଟୋବର ୧ ରୁ ୩, ୨୦୨୬ ପର୍ଯ୍ୟନ୍ତ ଜାପାନର ନାଗୋୟା ସହର ସ୍ଥିତ ମିଜୁହୋ ପାର୍କ ରଗବୀ ଫିଲ୍ଡ ଠାରେ ଅନୁଷ୍ଠିତ ହେବାକୁଥିବା ଏହି ପ୍ରତିଷ୍ଠିତ କ୍ରୀଡ଼ା ମହାକୁମ୍ଭରେ ସେ ଦେଶର ପତାକା ଉଡ଼ାଇବେ। ମୟୂରଭଞ୍ଜର ଏକ ସାଧାରଣ ପରିବାରୁ ଆସିଥିବା ସନ୍ଧ୍ୟାରାଣୀଙ୍କ ଏହି ସଫଳତା ପଛରେ ରହିଛି ବାରିପଦା ସ୍ଥିତ ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀର ପ୍ରଶିକ୍ଷଣ ଏବଂ ସମର୍ଥନ I
ଅଭାବ ଅସୁବିଧା ଏବଂ ସୀମିତ ସମ୍ବଳ କେବେ ବି ତାଙ୍କ ଲକ୍ଷ୍ୟ ପଥରେ ବାଧା ସାଜିପାରି ନଥିଲା I ନିଜର ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ସେ ଜାତୀୟ ରଗବୀ ଦଳରେ ନିଜର ସ୍ଥାନ ବଜାୟ ରଖି ପାରିଛନ୍ତି I ଅଲିମ୍ପିକ୍ସ ପରେ ଏସୀୟ କ୍ରୀଡ଼ା ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ବହୁ-କ୍ରୀଡ଼ା ମହାକୁମ୍ଭ I ‘ଏସିଆଡ୍’ ଭାବେ ପରିଚିତ ଏହି ପ୍ରତିଯୋଗିତା ଏସିଆ ମହାଦେଶର ସବୁଠୁ ବଡ଼ କ୍ରୀଡ଼ା ଆୟୋଜନ ଅଟେ, ଯାହାକୁ ‘ଓଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ’ ଦ୍ୱାରା ପରିଚାଳନା କରାଯାଇଥାଏ I ଏଭଳି ଏକ ବିଶ୍ୱସ୍ତରୀୟ ମଞ୍ଚରେ ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀର ପ୍ରତିଭା ଭାରତକୁ ପ୍ରତିନିଧିତ୍ୱ କରିବା ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ I
ସନ୍ଧ୍ୟାରାଣୀଙ୍କ ଏହି ଅସାଧାରଣ ସଫଳତା ପାଇଁ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ବିଜୟ କୁମାର ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ, ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ କୋଚ୍ ଚନ୍ଦନ ସିଂ, ରାଜକିଶୋର ପାତ୍ର ଓ ଅଜିତ କୁମାର ହାଁସଦା ଶୁଭେଚ୍ଛା ଜଣାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରଗବୀ ସଙ୍ଘ, ଓଡ଼ିଶା ରଗବୀ ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ସହଯୋଗ ପାଇଁ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଅଛି I
