4Electric Shock 300x180

ବିଦ୍ୟୁତ ଆଘାତ ଲାଗି ଚାଲିଗଲା ଦୁଇ ଜୀବନ

ରାଜ୍ୟ

ଢେଙ୍କାନାଳ: ବିଦ୍ୟୁତ ଆଘାତ ନେଲା ଦୁଇ ଜୀବନ । ଢେଙ୍କାନାଳ ଜିଲ୍ଲା ରାସୋଳ ଓ ଗଁନ୍ଦିଆ ଥାନା ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆନାଳୀ ଗ୍ରାମର ୩ ବର୍ଷର ଶିଶୁ କନ୍ୟାର କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ବେଳେ, ରାସୋଳ ଥାନା ଅନ୍ତର୍ଗତ ବେଡାପଡ଼ା ରଗଡି ସାହିର ଜଣେ ମହିଳା ମଧ୍ୟ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ, ମୃତ ୩ ବର୍ଷର ଶିଶୁ କନ୍ୟା ଗଁନ୍ଦିଆ ଥାନା ଅନ୍ତର୍ଗତ ଆଶ୍ରମ ସ୍କୁଲ ନିକଟରେ ରହୁଥିବା ବିଦେଶୀ ମୁଣ୍ଡାଙ୍କର ଝିଅ ତ୍ରିଶା ମୁଣ୍ଡା ବୋଲି ଜଣାପଡ଼ିଛି। ଏହି କୁନି ଝିଅଟି ଘରେ ଖେଳୁଥିବା ବେଳେ  ଘରେ ଝୁଲି ରହିଥିବା ବିଦ୍ୟୁତ ତାର ଧରି ଟାଣି ଦେଇଥିଲା। ଫଳରେ ବିଦ୍ୟୁତ ଆଘାତରେ ଗୁରୁତର ହୋଇପଡ଼ିଥିଲା କୁନି ଝିଅଟି। ତେବେ ସଙ୍ଗେ ସଙ୍ଗେ ତାକୁ ତାକୁ ଚିକିତ୍ସାପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ସେପଟେ ରାସୋଳ ଥାନା ଅନ୍ତର୍ଗତ ବେଡାପଡ଼ା ଗ୍ରାମ ରଗଡ଼ି ସାହିର ୫୧ ବର୍ଷୀୟା ଉପମା ବେହେରା ଓ ତାଙ୍କ ଝିଅ ଗାଧୋଇବାକୁ ବାଡ଼ି ପଛରେ ଥିବା ଗାଁ ପୋଖରୀକୁ ଯାଉଥିଲେ। ମାତ୍ର ବାଟରେ ଥିବା ସୋଲାର ଫେନ୍ସିଂ ତାର  ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ଉପମା। ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷାକରାଯାଇପାରିନାହିଁ। ଡାକ୍ତର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ରାସୋଳ ଥାନା ପୋଲିସ ପହଂଚି ସୋଲାର ଫେନ୍ସିଂ ତାର ଜବତ କରି ତଦନ୍ତ ଆରମ୍ଭ କରିଛି। ଉକ୍ତ ତାର ବିଛାଇଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ଛାନଭିନ ଆରମ୍ଭ କରିଛି।