Special flights

ବ୍ରିଟେନରେ ATC ସିଷ୍ଟମରେ ତ୍ରୁଟି, ୧୦୦୦ରୁ ଅଧିକ ବିମାନ ପ୍ରଭାବିତ

ଦେଶ - ବିଦେଶ

ନୂଆଦିଲ୍ଲୀ : ବ୍ରିଟେନର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମରେ ବଡ଼ ଧରଣର ବୈଷୟିକ ତ୍ରୁଟି ଦେଖାଦେବା ପରେ ଦେଶର ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଦେଶରେ ପ୍ରାୟ ୧୦୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ଜଣାପଡିଛି । ଫଳରେ ବିମାନ ଯାତ୍ରା ପ୍ରଭାବିତ ହୋଇଛି । ବ୍ରିଟେନର ନ୍ୟାସନାଲ୍ ଏୟାର ଟ୍ରାଫିକ୍ ସର୍ଭିସେସ୍ (NATS) ମୁତାବକ, ଫ୍ଲାଇଟ୍ ପ୍ରୋସେସିଂ ସିଷ୍ଟମରେ ଦେଖାଦେଇଥିବା ସମସ୍ୟାକୁ ସୁଧାରି ଯାଇଥିଲା । ତେବେ ବାତିଲ ଓ ଅଟକି ରହିଥିବା ବିମାନଗୁଡ଼ିକର ବ୍ୟାକଲଗ୍ ଯୋଗୁଁ ଦେଶର ୧୫ରୁ ଅଧିକ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ଼ ଓ ବିମାନ ଚଳାଚଳରେ ଅସୁବିଧା ଜାରି ରହିଥିଲା । ଏହି ବୈଷୟିକ ତ୍ରୁଟିର ପ୍ରଭାବରେ ଅନେକ ଯାତ୍ରୀଙ୍କୁ ଦୀର୍ଘ ସମୟ ଧରି ସମସ୍ୟା ଭୋଗିବାକୁ ପଡିଥିଲା ।

ଆୟରଲ୍ୟାଣ୍ଡ ଯିବାକୁ ଥିବା ରାୟାନଏୟାର୍ର ଏକ ବିମାନ ବାତିଲ ହେବା ପୂର୍ବରୁ ଜଣେ ଯାତ୍ରୀ ପ୍ରାୟ ୩ ଘଣ୍ଟା ଧରି ବିମାନ ଭିତରେ ଫସି ରହିଥିଲେ । ସେହିପରି ଗ୍ୟାଟୱିକ୍ ବିମାନବନ୍ଦର ସମେତ ଅନ୍ୟାନ୍ୟ ବିମାନବନ୍ଦରରେ ମଧ୍ୟ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଅନେକ ଯାତ୍ରୀଙ୍କୁ ବିମାନ ବାତିଲ ହେବା ସମ୍ପର୍କରେ ଆଗୁଆ ସୂଚନା ମିଳିନଥିବା ଅଭିଯୋଗ ହୋଇଛି । NATSର ଫ୍ଲାଇଟ୍ ପ୍ରୋସେସିଂ ସିଷ୍ଟମରେ ତ୍ରୁଟି ଯୋଗୁଁ British Airways, easyJet, KLM ଏବଂ Lufthansa ଭଳି ପ୍ରମୁଖ ଏୟାରଲାଇନ୍ସର ଅନେକ ବିମାନ ବାତିଲ କିମ୍ବା ବିଳମ୍ବିତ ହୋଇଥିଲା । ଏହାର ପ୍ରଭାବ ଭାରତୀୟ ଯାତ୍ରୀଙ୍କ ଉପରେ ମଧ୍ୟ ପଡ଼ିଥିଲା । ମୁମ୍ବାଇରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଜ୍ୟୁରିକ୍ ଦିଗକୁ ଡାଇଭର୍ଟ କରିବାକୁ ପଡ଼ିଥିଲା ।

ତେବେ ରାୟାନଏୟାର୍ ପକ୍ଷରୁ କୁହାଯାଇଛି ଯେ, ୬୫ ହଜାରରୁ ଅଧିକ ଯାତ୍ରୀ ଏହି ବିମାନ ବିଭ୍ରାଟରେ ପ୍ରଭାବିତ ହୋଇଛନ୍ତି ଏବଂ କେତେକ ଯାତ୍ରୀଙ୍କୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବର ସାମ୍ନା କରିବାକୁ ପଡ଼ିଛି । ଘଟଣାକୁ ନେଇ ବ୍ରିଟେନର ପରିବହନ ସଚିବ ହେଇଡି ଆଲେକ୍ସାଣ୍ଡର ଯାତ୍ରୀମାନଙ୍କୁ ଏହି ଅସୁବିଧା ପାଇଁ କ୍ଷମା ମାଗିବା ସହ ଘଟଣାର ତଦନ୍ତ କରାଯାଉଥିବା ଆଶ୍ୱାସନ ଦେଇଛନ୍ତି ।