ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ରାଜ୍ୟ
ବାରିପଦା : ଚଳିତ ସେପ୍ଟେମ୍ବର ମାସ ୧୨ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ, ବାରିପଦାଙ୍କ ଦ୍ୱାରା ଜିଲ୍ଲା କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା କୋର୍ଟ ବାରିପଦା ବ୍ୟତୀତ ଅନ୍ୟାନ୍ୟ ସ୍ଥାନ ଯଥା ତାଲୁକ ଆଇନ ସେବା ସମିତି କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ବେତନଟୀ, ଯଶିପୁର, ଠାକୁରମୁଣ୍ଡା, ରାସଗୋବିନ୍ଦପୁର ଓ ମୋରୋଡ଼ା ଠାରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଚାରାଧୀନ ଥିବା ଫୌଜଦାରୀ (ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍ ଚାଲାଣ, ରାଜସ୍ଵ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଆଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ।
ଏଥିସହ ଅଦାଲତରେ ମାମଲା ଦାୟର ହୋଇନଥିବା ପ୍ରାକ୍-ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବ୍ୟାଙ୍କ ଋଣ ଅନାଦେୟ, ସାଲିସ ଯୋଗ୍ୟ ଟ୍ରାଫିକ ଚାଲାଣ ମାମଲା, ଟେଲିଫୋନ୍, ବିଦ୍ୟୁତ୍, ପାନୀୟଜଳ ବିଲ୍ ଅନାଦେୟ ମାମଲାଗୁଡ଼ିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ। ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ। ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ। ଯଦି କୌଣସି ବିଚାରାଧୀନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ, ତେବେ ଆଗରୁ ପୈଠ ହୋଇଥ‌ିବା କୋର୍ଟ ଫି ଫେରସ୍ତ ହୋଇପାରିବ।
ଏଣୁ, ଦୀର୍ଘ ଦିନ ଧରି ଚାଲୁ ରହିଥ‌ିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ସବିଶେଷ ବିବରଣୀ ପାଇଁ ଜିଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ, ବାରିପଦା କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥ‌ିବା ଆଇନ ସେବା ସମିତି / ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରାଜଜ ତଥା  ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ୍ୟ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହେବ। ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରି ପୁରୁଣା ବିବାଦଗୁଡିକର ଆପୋଷ ସମାଧାନ କରାଇବା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ, ବାରିପଦା ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି।