IMG 20260903 WA0259

ଯୌତୁକ ନିଷେଧ ଆଇନ, ୧୯୬୧ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା : ଯୌତୁକ ପ୍ରଥାର ନିରାକରଣ, ଯୌତୁକ ନିଷେଧ ଆଇନ, ୧୯୬୧ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ଏ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣରେ ଯୌତୁକ ପ୍ରଥାର ନିରାକରଣ ଓ ଆଇନର ପ୍ରଭାବଶାଳୀ ପ୍ରୟୋଗ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି ।
                  କାର୍ଯ୍ୟକ୍ରମରେ ବିଷୟ ବିଶାରଦ ଶ୍ରୀ ବିଭୁ ପ୍ରସାଦ ଦାସ ପିପିଟି ପ୍ରେଜେଣ୍ଟେସନ ମାଧ୍ୟମରେ ଯୌତୁକ ନିଷେଧ ଆଇନ, ୧୯୬୧ର ବିଭିନ୍ନ ଆଇନଗତ ବ୍ୟବସ୍ଥା ଉପରେ ବିସ୍ତୃତ ଓ ସୂଚନାପୂର୍ଣ୍ଣ ଆଲୋଚନା କରିଥିଲେ । ଯୌତୁକର ପରିଭାଷା, ଯୌତୁକ ଦେବା, ନେବା କିମ୍ବା ଦାବି କରିବା ସମ୍ବନ୍ଧୀୟ ଆଇନଗତ ପ୍ରାବଧାନ, ଅପରାଧ ଓ ଦଣ୍ଡବିଧାନ ତଥା ଯୌତୁକଜନିତ ନିର୍ଯାତନା ଓ ହିଂସା ସମ୍ବନ୍ଧରେ ଅଭିଯୋଗ ଓ ରିପୋର୍ଟ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ।
                      ଏହି ଅବସରରେ ଯୌତୁକ ପ୍ରଥାର ସାମାଜିକ, ଆର୍ଥିକ ଓ ମାନସିକ କୁପ୍ରଭାବ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା । ଯୌତୁକ ପ୍ରଥା ନାରୀଙ୍କ ସମ୍ମାନ, ସମାନତା ଓ ଅଧିକାରକୁ ପ୍ରଭାବିତ କରୁଥିବାରୁ ଏହାର ନିରାକରଣ ପାଇଁ ଆଇନର କଡ଼ା କାର୍ଯ୍ୟାନ୍ୱୟନ ସହିତ ସାମାଜିକ ସଚେତନତା, ସମନ୍ୱିତ ପଦକ୍ଷେପ ଓ ସମୂହଗତ ଅଂଶଗ୍ରହଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
                     ପ୍ରଶିକ୍ଷଣରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗୌତମ କିଷାନ, ଉପ-ଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ମହାରଣା ଏବଂ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି ଉପସ୍ଥିତ ରହି ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ସୁରକ୍ଷା ଓ ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ ।
                      ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ ଓ ଏଫ୍.ସି.ସି. ସହ ଜଡ଼ିତ କର୍ମଚାରୀ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ପ୍ରଶିକ୍ଷଣରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।