- ବିଶୁଦ୍ଧ ପାନୀୟଜଳ ଯୋଗାଣକୁ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ୱ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
ବାରିପଦା: ସହରବାସୀ ତଥା ଯାତାୟାତ କରୁଥିବା ଲୋକଙ୍କୁ ସହଜରେ ବିଶୁଦ୍ଧ ଓ ଗୁଣାତ୍ମକ ପାନୀୟଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ସହରର ତିନୋଟି ପ୍ରମୁଖ ସ୍ଥାନରେ ପାନୀୟଜଳ କିଓସ୍କ ଉଦ୍ଘାଟିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କିଓସ୍କଗୁଡ଼ିକୁ ଲୋକାର୍ପଣ କରିବା ସହ ନିଜେ ପାଣି ପିଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପାନୀୟଜଳ କିଓସ୍କଗୁଡ଼ିକ ବସ୍ଷ୍ଟାଣ୍ଡ ନିକଟ, ମା’ ଅମ୍ବିକା ପମ୍ପ ହାଉସ୍ ପରିସର ଏବଂ ଝୁବୁଲୀ ବନ୍ଦ ନିକଟରେ ସ୍ଥାପିତ ହୋଇଛି । ଏହା ଦ୍ୱାରା ଯାତ୍ରୀ, ପଥଚାରୀ ଓ ସ୍ଥାନୀୟ ବାସିନ୍ଦାମାନେ ସୁବିଧାରେ ବିଶୁଦ୍ଧ ପାନୀୟଜଳ ପାଇପାରିବେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ ଯେ, ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ବିଶେଷକରି ଗ୍ରୀଷ୍ମ ଋତୁରେ ଲୋକଙ୍କ ଜଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥାନଗୁଡ଼ିକରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ଏହି ଅବସରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା ପାଇଁ ମନ୍ତ୍ରୀ ମା’ ଅମ୍ବିକା ପମ୍ପ ହାଉସ୍ ପରିଦର୍ଶନ କରିଥିଲେ । ସେଠାରେ ଜଳର ଗୁଣବତ୍ତା ପରୀକ୍ଷା ଓ ଲେବୋରେଟୋରୀ ଟେଷ୍ଟିଂ ସମ୍ପର୍କରେ ସେ ତଦାରଖ କରିଥିଲେ ।
ବାରିପଦା ସହରର କେତେକ ଅଞ୍ଚଳରେ ୨୪×୭ ଜଳ ଯୋଗାଣ ବ୍ୟବସ୍ଥା ଚାଲୁ ରହିଥିବା ବେଳେ ଯେଉଁ ଅଞ୍ଚଳଗୁଡ଼ିକରେ ଏପର୍ଯ୍ୟନ୍ତ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ ହୋଇନାହିଁ, ସେସବୁ ଅଞ୍ଚଳରେ ଶୀଘ୍ର ୨୪x୭ ବିଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୱାଟକୋର ଜେନେରାଲ ମ୍ୟାନେଜରଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆଗାମୀ ଦିନରେ ସହରର ଆବଶ୍ୟକତାକୁ ଆକଳନ କରି ଜଳ ସଂରକ୍ଷଣ କ୍ଷମତା ଆହୁରି ବୃଦ୍ଧି କରାଯିବା ସହ ଗୁଣାତ୍ମକ ଜଳ ଯୋଗାଣ, ନିରବଚ୍ଛିନ୍ନ ସେବା ଓ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଭିନ୍ନ ଅତିଥି, ବାରିପଦା ପୌରପାଳିକାର ଅଧିକାରୀ, ୱାଟକୋର ଜେନେରାଲ ମ୍ୟାନେଜର ଗୁଲଶନ କୁମାର ସାହୁ, ମ୍ୟାନେଜର ମ୍ୟାନେଜର ବିପିନ ବିହାରୀ ଦାସଙ୍କ ସମେତ ଆସିଷ୍ଟାଣ୍ଟ ମ୍ୟାନେଜର ବି.କେ. ସାହୁ, ସୁପ୍ରିତ ଦାସ ଓ ପ୍ରଭାକର ସିଂହ, ଜଳସାଥୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
