80b9iqtk thermal drone nepal 625x300 31 August 26 696x392

ନେପାଳ ବନ୍ୟା ବିତ୍ପାତ: ଜଳ ବିଦ୍ୟୁତ୍‌ ସୁଡ଼ଙ୍ଗରେ ୯୩ ଶ୍ରମିକ ଫସିଥିବା ଆଶଙ୍କା

ଦେଶ - ବିଦେଶ

କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରେ ନିଖୋଜ ଶ୍ରମିକଙ୍କ ସନ୍ଧାନ ଜାରି ରହିଛି। ରାସୁୱା ଜିଲ୍ଲାର ରସୁୱାଗାଧି ଜଳବିଦ୍ୟୁତ୍‌ ପ୍ରକଳ୍ପର ଏକ ସୁଡ଼ଙ୍ଗରେ ଅତି କମ୍‌ରେ ୯୩ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଥିବା ବେଳେ ଉଦ୍ଧାରକାରୀମାନେ ଥର୍ମାଲ ଡ୍ରୋନ୍‌ ସହାୟତାରେ ସୁଡ଼ଙ୍ଗର ଦୂର ଅଂଶ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ତେବେ ସେଠାରେ କେହି ଜୀବିତ ଥିବାର ସଙ୍କେତ ମିଳିନାହିଁ।

ରାସୁୱାଗାଧିରେ ଚାଲିଥିବା ଉଦ୍ଧାର ଅଭିଯାନରେ ନେପାଳୀ ସେନାର ଯବାନ, ଇଞ୍ଜିନିୟର ଓ ଡ୍ରୋନ୍‌ ବିଶେଷଜ୍ଞଙ୍କ ଏକ ଦଳ ସାମିଲ ହୋଇଥିଲା। ଭୋଟେ କୋଶି ନଦୀରେ ହଠାତ୍‌ ବନ୍ୟା ଆସିବା ପରେ ସୁଡ଼ଙ୍ଗ ଭିତରେ ଥିବା ଶ୍ରମିକମାନେ ଏହାର ଦୂର ଅଂଶରେ ଫସି ରହିଥିବା ଆଶଙ୍କା କରାଯାଇଥିଲା।ଉଦ୍ଧାରକାରୀ ଦଳ ସୁଡ଼ଙ୍ଗର ଶେଷ ବିନ୍ଦୁ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇଥିଲା। ପରେ ସୁଡ଼ଙ୍ଗର ଭିତର ଅଂଶ ଯାଞ୍ଚ କରିବା ପାଇଁ ଥର୍ମାଲ ଡ୍ରୋନ୍‌ ବ୍ୟବହାର କରାଯାଇଥିଲା। ଯେଉଁ ଅଞ୍ଚଳକୁ ସିଧାସଳଖ ପହଞ୍ଚିବା ବିପଜ୍ଜନକ ଥିଲା, ସେଠାରେ ମଧ୍ୟ ଡ୍ରୋନ୍‌ ମାଧ୍ୟମରେ ଖୋଜାଖୋଜି କରାଯାଇଥିଲା। ତେବେ କୌଣସି ମାନବ ଉପସ୍ଥିତିର ସଙ୍କେତ ମିଳିନଥିବାରୁ ସେଠାରେ ଚାଲିଥିବା ସନ୍ଧାନ ଅଭିଯାନକୁ ବନ୍ଦ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଯେ ସେନା ନେତୃତ୍ୱାଧୀନ ଦଳ ୧୧୧ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ରସୁୱାଗାଧି ଜଳବିଦ୍ୟୁତ୍‌ ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ଖୋଜାଖୋଜି କରିବା ପରେ ଫେରିଆସିଛି। ଏହାପରେ ଉଦ୍ଧାରକାରୀମାନେ ରାସୁୱା ଜିଲ୍ଲାର ଧୁଞ୍ଚେକୁ ଫେରିଥିବା ଜଣାପଡ଼ିଛି। ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ (NDRRMA) ସୋମବାର କହିଛି ଯେ ଦେଶର ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକ ସହ ଜଡ଼ିତ ୯୩୩ ଜଣ ଲୋକ ନିଖୋଜ ଅଛନ୍ତି। ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ନେପାଳର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।