Bhadrak ghai1 2026 08 27 18 51

୨୦ନଂ ଜାତୀୟ ରାଜପଥରେ ୩୦୦ ଫୁଟର ଘାଇ, ଧୋଇଗଲା ଏକ କିଲୋମିଟର ରାସ୍ତା

ରାଜ୍ୟ

ଦଶରଥପୁର: ପୁଣିଥରେ ବୈତରଣୀ ବନ୍ୟାରେ ଆସିଥିବା ବଢ଼ିରେ ୨୦ ନମ୍ୱର ଜାତୀୟ ରାଜପଥର ବୋଡ଼କ ଠାରେ ୩ଶହ ଫୁଟର ଘାଇ ସୃଷ୍ଟି ହୋଇଛି। ବନ୍ୟାଜଳ ପ୍ରବଳ ସ୍ରୋତରେ ରାସ୍ତାର ପ୍ରାୟ ୧ କିମି ଧୋଇ ହୋଇଯାଇଛି। ଫଳରେ ଯାଜପୁରଜିଲ୍ଲା କୁଆଖିଆ ଠାରୁ ଭଦ୍ରକ ଜିଲ୍ଲା ଧାମରା ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
ବୈତରଣୀ ନଦୀରେ ୫ ଥର ବନ୍ୟା ଆସିବା ପରେ ଦଶରଥପୁର ବ୍ଲକ କୟା ପୋଲ ନିକଟ ବୋଡ଼କ ରାସ୍ତା ଉପରେ ବାରମ୍ବାର ବନ୍ୟା ଜଳ ପ୍ରବାହିତ ହେଉଥିଲା। ଫଳରେ ଉକ୍ତ ରାସ୍ତା ଟି ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଢଳାଇ ଭାଙ୍ଗି ନଷ୍ଟ କରିଦେଇଛି। ବୈତରଣୀ ବନ୍ଧ ଅର୍ଥାତ ୨୦ ନମ୍ବର ଜାତୀୟ ରାଜପଥ ପ୍ରାୟ ୩୦୦ ଫୁଟର ଘାଇ ହୋଇଯାଇଛି। ଫଳରେ ଯାଜପୁର ଭଦ୍ରକ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାର ଲୋକ ଏହି ରାସ୍ତା ଉପରେ ବହୁଧା ନିର୍ଭର କରିଥାନ୍ତି। ଯାଜପୁରର ମା’ ବିରଜା, ଭଦ୍ରକର ଆଖଣ୍ଡଳମଣି ପୀଠକୁ ଏହି ରାସ୍ତାରେ ଲୋକେ ଏବଂ ଗାଡି ମୋଟର ପ୍ରତିଦିନ ହଜାର ହଜାର ଯାତାୟାତ କରିଥାନ୍ତି। ରାସ୍ତା ଭାଙ୍ଗି ଯିବା ସହ ଘାଇ ହୋଇଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆଜି ସାମାନ୍ୟ ଜଳ ସ୍ତର ଖସିବା ପରେ ମରାମତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।