ମାଲକାନଗିରି: ମାଲକାନଗିରିବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘଦିନ ଧରି ଦୁର୍ଗମ ମାଲକାନଗିରିକୁ ରାଜ୍ୟ ତଥା ଦେଶର ପ୍ରମୁଖ ସହର ସହ ଆକାଶପଥରେ ଯୋଡ଼ିବା ପାଇଁ ଦାବି ହୋଇଆସୁଥିଲା। ବିମାନ ସେବା ଆରମ୍ଭ ହେଲେ ମାଲକାନଗିରି ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ। ଏହା ଦ୍ୱାରା ଜିଲ୍ଲାର ବ୍ୟବସାୟୀ, ଛାତ୍ରଛାତ୍ରୀ, ରୋଗୀ, ସରକାରୀ କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଉପକୃତ ହେବେ।
