ତାସ ଖେଳକୁ ନେଇ ନାବାଳକକୁ ଛୁରୀ ଭୁଷି ହତ୍ୟା କଲା ନାବାଳକ

ରାଜ୍ୟ

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ଥାନା ରୋତ୍‌ ଗାଁ’ରେ ଜଣେ ନାବାଳକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ନାବାଳକ ହେଲେ ରୋତ ଗାଁ’ର ରମେଶ ପଟେଲଙ୍କ ପୁଅ ସାହିଦ୍‌ ପଟେଲ (୧୪)। ଗାଁ’ର ପ୍ରାଥମିକ ବିଦ୍ୟାଳୟ ନିକଟ କ୍ଲବରେ ତାସ ଖେଳ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୧୧ଟାରେ ସାହିଦ୍‌, କୁନାଲ ବରିହା, ଚନ୍ଦନ ପଟେଲ ଓ ଶିବା ସିନ୍ଦୁର ମିଶି ଗାଁ’ ସ୍କୁଲ ନିକଟ କ୍ଲବରେ ତାସ୍‌ ଖେଳୁଥିଲେ । ତାସ୍‌ ଖେଳ ଚାଲିଥିବା ବେଳେ କୌଣସି କାରଣରୁ ସାହିଦ୍‌ ଓ କୁନାଲ (୧୪)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କୁନାଲ ଘରକୁ ଯାଇ ଏକ ଛୁରୀ ଆଣି ସାହିଦ୍‌ଙ୍କ ଛାତି ବାମ ପଟରେ ଭୁସି ଦେଇଥିଲା। ସାହିଦ୍‌ଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆଗଲପୁର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପରେ ସାହିଦ୍‌ଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ନାବାଳକ କୁନାଲଙ୍କ ଘର ସାଲେଭଟା ହୋଇଥିବା ବେଳେ ସେ ରୋତ୍‌ ସ୍ଥିତ ମାମୁଁଘରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ମୃତ ନାବାଳକଙ୍କ ବାପା ରମେଶ ଆଗଲପୁର ଥାନାରେ ଅଭିଯୋଗ କରିଛନ୍ତି । ଆଗଲପୁର ପୁଲିସ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । କାର୍ଯ୍ୟାନୁଷ୍ଠାନ ଦାବିରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ଥାନାରେ ପହଞ୍ଚି ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଛି । ଆଗଲପୁର ପୁଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚୁରା କରୁଛି । ଥାନା ଅଧିକାରୀ ଛୁଟିରେ ଥିବାରୁ ବଲାଙ୍ଗିର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବଲାଙ୍ଗିର ଭୀମ ଭୋଇ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଗଲପୁର ଥାନା ଏସ୍‌ଆଇ ସର୍ବେଶ୍ବର ସାହୁ ମାମଲା ତଦନ୍ତ କରୁଥିବା ବଲାଙ୍ଗିର ଏସ୍‌ଡିପିଓ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି ।