IMG 20260820 WA0265

ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଜିଲ୍ଲାସ୍ତରୀୟ ମନିଟରିଂ, ଶିକ୍ଷାଦାନର ଗୁଣବତ୍ତା ଓ ସ୍ୱଚ୍ଛ ଶିକ୍ଷା ପରିବେଶ ଉପରେ ଗୁରୁତ୍ୱ

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନର ଗୁଣବତ୍ତା, ଶିକ୍ଷା ପରିବେଶ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିର ସ୍ଥିତି ଅନୁଧ୍ୟାନ ନିମନ୍ତେ ଆଜି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଯୋଜନା) ଶ୍ରୀ ଶଶୀଧର ସିଂ ମିଳିତ ଭାବେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ମନିଟରିଂ କରିଥିଲେ ।
ଏହି କ୍ରମରେ ଜୟବିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୋଲଗାଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭାଲୁକିସ୍ଥିତ କେ.ସି. ଉଚ୍ଚ ବିଦ୍ୟାଳୟ, ଭାଲୁକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ରଙ୍ଗାମାଟିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରାଯାଇଥିଲା ।
ପରିଦର୍ଶନ ସମୟରେ ଅଧିକାରୀମାନେ ଚାଲୁଥିବା ଶ୍ରେଣୀ ଶିକ୍ଷାଦାନ, ପାଠ୍ୟକ୍ରମ ଅନୁଯାୟୀ ପାଠ ପ୍ରସ୍ତୁତି ଓ ଶିକ୍ଷା ନୋଟ୍, ବିଦ୍ୟାଳୟ ପରିସରର ପରିଚ୍ଛନ୍ନତା, ଶୌଚାଳୟର ସ୍ୱଚ୍ଛତା, ପାନୀୟ ଜଳର ଉପଲବ୍ଧତା ଓ ସ୍ୱଚ୍ଛତା, ଛାତ୍ରାବାସର ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟକର ପରିବେଶ ଆଦି ଯାଞ୍ଚ କରିଥିଲେ ।
ଏଥିସହ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଜିଲ୍ଲାର ଅଭିନବ ଶିକ୍ଷାମୂଳକ ପଦକ୍ଷେପ ‘ମେଧାବୀ ମୟୂରଭଞ୍ଜ’ ଅଧୀନରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଓ କାର୍ଯ୍ୟକାରିତା ମଧ୍ୟ ସମୀକ୍ଷା କରାଯାଇଥିଲା । ବିଦ୍ୟାଳୟରେ ନିୟମିତ ଓ ଗୁଣାତ୍ମକ ଶ୍ରେଣୀ ଶିକ୍ଷାଦାନ ସୁନିଶ୍ଚିତ କରିବା ସହିତ ସ୍ୱଚ୍ଛ ଓ ସୁସ୍ଥ ଶିକ୍ଷା ପରିବେଶ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ‘ମେଧାବୀ ମୟୂରଭଞ୍ଜ’ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ ।