MKCG BB

ଦୁର୍ଘଟଣା ପରେ ଅନ୍ତନଳୀକୁ ଧରି ୨ କିମି ଚାଲିଲା ନାବାଳକ, ଅପରେସନ୍ ପରେ ପାଇଲା ନୂଆ ଜୀବନ

ରାଜ୍ୟ

ବ୍ରହ୍ମପୁର : ୧୧ ବର୍ଷୀୟ ନାବାଳକର ସାହସକୁ ସଲାମ୍ । ସାହାସ କଲା ନୂଆ ଜୀବନ ପାଇଲା । ଦୁର୍ଘଟଣା ପରେ ନିଜ ପେଟର ଅନ୍ତନଳୀକୁ ସ୍କୁଲ ୟୁନିଫର୍ମରେ ଧରି ଦୀର୍ଘ ଦୁଇ କିଲୋମିଟର ଯାଇ ଘରେ ପହଞ୍ଚିଲା । ପରିବାର ଲୋକ ତୁରନ୍ତ ଡାକ୍ତରଖାନା ବାହାରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ଗୁରୁତର ଅବସ୍ଥାରେ ଶିଶୁକୁ ବାଇକରେ ୧୦ କିଲୋମିଟର ଧରି ବଡ଼ଗଡ଼ ମେଡ଼ିକାଲକୁ ନେଇଥିଲେ ପରିବାର ଲୋକେ । ସେଠାରୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଶିଶୁକୁ ଭର୍ତ୍ତି କରାଯାଇଥିଲା । ଦୁଇ ଘଣ୍ଟାର ଜଟିଳ ଅପରେସନ୍ ପରେ ଏବେ ନୂଆ ଜୀବନ ପାଇଛି ଶିଶୁ । ଏଭଳି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ତାନାର୍ଜିପଲ୍ଲୀରୁ ।

ଶିଶୁଟି ସବୁଦିନ ଭଳି ଗତ ସୋମବାର ଦିନ ମଧ୍ୟ ସ୍କୁଲକୁ ଯାଉଥିଲେ । ଗାଁ ଠାରୁ ସ୍କୁଲ ୩ କିଲୋମିଟର ହୋଇଥିବା ବେଳେ ନିଜର ସାଇକେଲ୍ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣାରେ ପେଟରେ ଗଭୀର ଆଘାତ ଲାଗି ତାଙ୍କର ଅନ୍ତନଳୀ ବାହାରକୁ ବାହାରି ଯାଇଥିଲା । ତେବେ ସେ ଏଥିରେ ବିଚଳିତ ନ ହୋଇ ସାଇକେଲକୁ ଛାଡ଼ିଦେଇ ସାର୍ଟରେ ଅନ୍ତନଳୀକୁ ଜାବୁଡ଼ି ଧରି ଘରେ ପହଞ୍ଚିଥିଲେ । ପରିବାର ଲୋକେ ତାଙ୍କୁ ବାଇକ୍ ରେ ଧରି ଗାଁରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ବଡ଼ଗଡ଼ ମେଡ଼ିକାଲକୁ ନେଇଯାଇଥିଲେ । ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଅଣାଯାଇଥିଲା ।