ବାରିପଦା: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସ୍ୱାଭାବିକ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା କାରଣରୁ ସୋମବାର ଦିନ ବାରିପଦା ଷ୍ଟେସନ୍ ମାର୍କେଟ୍ ଅଞ୍ଚଳରେ ଥିବା ସୁଙ୍ଗାଡିଆ ନିକଟରେ ରେଳଧାରଣା ଧସିଯିବା ଫଳରେ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୁଙ୍ଗାଡିଆ ନିକଟରେ ପ୍ରାୟ ୫୦ ମିଟର ଲମ୍ବର ରେଳ ଟ୍ରାକ୍ ତଳୁ ମାଟି ଅତଡ଼ା ଖସି ଦବି ଯାଇଛି।
ଏହି ଅଘଟଣ ପରେ ରେଳ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନେକ ଟ୍ରେନ୍କୁ ତୁରନ୍ତ ବାତିଲ କରାଯାଇଛି। ଟ୍ରାକ୍ ଧସିଯିବା ଖବର ମିଳିବା ମାତ୍ରେ ରେଳବାଇର ବୈଷୟିକ ଟିମ୍ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲେ ସୁଦ୍ଧା, ପ୍ରବଳ ବର୍ଷା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି।
