ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସ୍ମୃତି ଆଲୋଚନା ଚକ୍ର
ଭୁବନେଶ୍ୱର : ପବିତ୍ର ସ୍ୱାଧୀନତା ଦିବସର ଶୁଭ ଅବସରରେ ରାଜଧାନୀସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ସାତକଡ଼ି ହୋତାଙ୍କ ସ୍ମୃତିରେ ଏକ ଭବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ‘ସାତକଡ଼ି ହୋତା ସ୍ମୃତି ସଂସଦ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଶିର୍ଷକ ଥିଲା ‘ସାତକଡ଼ି ହୋତାଙ୍କ କୃତି ଓ କୃତିତ୍ୱ’। ଏହି ଅବସରରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ଯୋଗଦେଇ ସାତକଡ଼ି ହୋତାଙ୍କ ବହୁମୁଖୀ ପ୍ରତିଭା ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଉପରେ ଗଭୀର ଆଲୋଚନା କରିଥିଲେ।

ଏହି ସାରସ୍ବତ ସମାବେଶରେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପୀତବାସ ରାଉତରାୟ ଯୋଗଦେଇ ସ୍ୱର୍ଗତ ହୋତାଙ୍କ ସାରସ୍ବତ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡ. ଅଲେଖ ଚନ୍ଦ୍ର ପଢିହାରୀ ଯୋଗଦେଇ କହିଥିଲେ ଯେ, ସାତକଡ଼ି ହୋତା ଥିଲେ ଜଣେ ‘ଅଜାତଶତ୍ରୁ ସାହିତ୍ୟିକ’, ଯାହାଙ୍କ ଲେଖନୀରେ ସାଧାରଣ ମଣିଷର ସୁଖ-ଦୁଃଖ ଓ ମାନବୀୟ ସମ୍ବେଦନଶୀଳତା ଅତି ନିଖୁଣ ଭାବେ ପ୍ରତିଫଳିତ ହୋଇଥାଏ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟାଦା ଦେବା ଦିଗରେ ତାଙ୍କର ନିରନ୍ତର ପ୍ରଚେଷ୍ଟା ଓ ଭାଷା ପ୍ରତି ଥିବା ତାଙ୍କର ଅନୁରାଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକ ପ୍ରଭାତ କୁମାର ନନ୍ଦ, ସମାଜସେବୀ ସ୍ବର୍ଣ୍ଣ ମିଶ୍ର ଏବଂ ସମ୍ମାନିତ ବକ୍ତା ଭାବେ ଇଂ. ହରିହର ତ୍ରିପାଠୀ ଯୋଗଦେଇ ସ୍ୱର୍ଗତ ହୋତାଙ୍କ କୃତିତ୍ୱ ବିଷୟରେ ସ୍ମୃତିଚାରଣ କରିଥିଲେ। ସେମାନେ ମତବ୍ୟକ୍ତ କରିଥିଲେ ଯେ, ଏକ ସୁସ୍ଥ ଓ ସଂସ୍କାର ସମ୍ପନ୍ନ ସମାଜ ଗଠନ ପାଇଁ ତାଙ୍କର ରଚନାଗୁଡ଼ିକ ଆଗାମୀ ପିଢ଼ିକୁ ସଦାସର୍ବଦା ପ୍ରେରଣା ଯୋଗାଇବ। ସଂସଦର ସମ୍ପାଦକ ତଥା ବିଶିଷ୍ଟ ସାରସ୍ବତ ସଂଗଠକ ରମାକାନ୍ତ ମିଶ୍ର ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ | ଏହି ଅବସରରେ ସେ ସାତକଡ଼ି ହୋତାଙ୍କସହ ତାଙ୍କର ବ୍ୟକ୍ତିଗତ ସ୍ମୃତିଚାରଣ କରିବା ସହ ତାଙ୍କର ମହନୀୟ ବ୍ୟକ୍ତିତ୍ବ ଉପରେ ଆଲୋକପାତ କରିଥିଲେ |
ସମସ୍ତ କାର୍ଯ୍ୟକ୍ରମକୁ ଅମୃତାୟନର ପରିଚାଳକ ବିଜୟ କୁମାର ତ୍ରିପାଠୀ ଆୟୋଜନ କରିଥିଲେ | କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୋଭନୀୟ ଶିକ୍ଷାଶ୍ରମର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଭାଗବତ ଗାନ ଏବଂ ସଙ୍ଗୀତା ତ୍ରିପାଠୀ ଓ ରଶ୍ମିତା ରାଉତଙ୍କ ଭକ୍ତି ସଙ୍ଗୀତ ଶ୍ରୋତାମାନଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ସାତକଡ଼ି ହୋତାଙ୍କର ସହକର୍ମୀ ତଥା ଗୁଣମୁଗ୍ଧ ରବୀନ୍ଦ୍ର କୁମାର ପଣ୍ଡା ଓ ସୁବାସ ଚନ୍ଦ୍ର ସାହୁ ସ୍ବଗତ ହୋତାଙ୍କ ସହ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ |
ସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଅବସରରେ ଦେବେନ୍ଦ୍ର କୁମାର ବାଉରୀ, ବିଜୟଲକ୍ଷ୍ମୀ ସାହୁ, ସୀତାକାନ୍ତ ଦାଶ, ଡ. ଅସୀମା ସାହୁ, ମୀରା ସେଠ ଏବଂ ବନ୍ଦନା ପଣ୍ଡାଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବରିଷ୍ଠ ପ୍ରଶାସକ ସୁକାନ୍ତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟାନୁରାଗୀ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ସ୍ୱର୍ଗତ ସାତକଡ଼ି ହୋତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
