ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତର ଅଭିଯୋଗ ଉଠିଛି। DGP ନିଯୁକ୍ତି ନେଇ ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ଓଡ଼ିଶା ସରକାର ଏଡ଼ାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ଏକ ଜନସ୍ୱାର୍ଥ ମାମଲା (PIL) ଦାଏର ହୋଇଛି। ଏହି ମାମଲାର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ଏବଂ ଅଗଷ୍ଟ ୧୨ ଅର୍ଥାତ୍ ବୁଧବାର ଏହାର ଶୁଣାଣି ହେବ।
ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାକୁ ଆସନ୍ତାକାଲି ତାଲିକାଭୁକ୍ତ କରିବାକୁ ସମ୍ମତି ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ମାମଲାଟି ଉପସ୍ଥାପନ କରିଥିଲେ।
ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ପୂର୍ବରୁ UPSCକୁ ପଠାଇଥିବା ଅଧିକାରୀଙ୍କ ପ୍ୟାନେଲ୍କୁ ପ୍ରତ୍ୟାହାର କରି ଏବେ ନୂଆ ତାଲିକା ପ୍ରସ୍ତୁତ କରୁଛି। ଏହି ନୂଆ ପ୍ୟାନେଲ୍ରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁନଥିବା ଜଣେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADGP)ଙ୍କୁ ପ୍ରଥମେ DGP ପାହ୍ୟାକୁ ପଦୋନ୍ନତି ଦେଇ ପରେ ତାଙ୍କ ନାମ UPSCକୁ ପଠାଇବାକୁ ଚେଷ୍ଟା ହେଉଛି ବୋଲି ସେ ଦାବି କରିଛନ୍ତି। ଚିଦାମ୍ବରମ୍ କହିଛନ୍ତି, ଏପ୍ରିଲରେ ରାଜ୍ୟ ସରକାର UPSCକୁ ଏକ ପ୍ୟାନେଲ୍ ପଠାଇଥିଲେ। ପରେ ତାହାକୁ ପ୍ରତ୍ୟାହାର କରାଯାଇଥିଲା। ମେ’ ମାସରେ ୩ ଜଣ DGP ଏବଂ ୮ ଜଣ ADGPଙ୍କୁ ନେଇ ଆଉ ଏକ ପ୍ୟାନେଲ୍ ପଠାଯାଇଥିଲା।
ତାଙ୍କ ଦାବି ଅନୁସାରେ, ଅଗଷ୍ଟ ୭ରେ UPSC ସ୍ପଷ୍ଟ କରିଥିଲା ଯେ କେବଳ DGP ପାହ୍ୟାର ଅଧିକାରୀଙ୍କୁ ହିଁ ବିଚାର କରାଯିବ। ଏହାପରେ ପ୍ୟାନେଲ୍କୁ ପ୍ରତ୍ୟାହାର କରାଯାଇଥିବା ଏବଂ ରାଜ୍ୟ ସରକାର ପୁଣି ଏକ ନୂଆ ତାଲିକା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି।
ମାମଲା ଶୁଣିବା ସମୟରେ CJI ସୂର୍ଯ୍ୟକାନ୍ତ କହିଛନ୍ତି ଯେ, କେଉଁ ଅଧିକାରୀ ଯୋଗ୍ୟ ଏବଂ କାହାକୁ ବିଚାର କରାଯାଇପାରିବ, ସେ ବିଷୟରେ UPSC ଭଲ ଭାବରେ ଅବଗତ। ଯଦି ଯୋଗ୍ୟ ନଥିବା ଅଧିକାରୀଙ୍କ ପ୍ୟାନେଲ୍ ପଠାଯାଉଛି, ତେବେ UPSC ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବ ବୋଲି କୋର୍ଟ ଆଶା ପ୍ରକାଶ କରିଛନ୍ତି। CJI ସ୍ପଷ୍ଟ ଭାବେ କହିଛନ୍ତି, “ଆମେ ଆଶା କରୁଛୁ UPSC ଆମ ରାୟକୁ ପାଳନ କରିବ।”
ତେବେ DGP ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂହ ବନାମ ଭାରତ ସରକାର’ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିବାକୁ ପଡ଼େ। ଏହି ବ୍ୟବସ୍ଥା ଅନୁସାରେ ରାଜ୍ୟ ପକ୍ଷରୁ ଯୋଗ୍ୟ ଅଧିକାରୀଙ୍କ ନାମ UPSCକୁ ପଠାଯାଏ। UPSC ସେଥିରୁ ଏକ ପ୍ୟାନେଲ୍ ପ୍ରସ୍ତୁତ କରେ ଏବଂ ରାଜ୍ୟ ସରକାରଙ୍କୁ ସେହି ପ୍ୟାନେଲ୍ରୁ DGP ନିଯୁକ୍ତ କରିବାକୁ ପଡ଼େ। ନିୟମ ଅନୁସାରେ, ଲେଭେଲ୍-୧୭ର DGP ପଦ ପାଇଁ ଲେଭେଲ୍-୧୬ର DGP ପାହ୍ୟାର ଅଧିକାରୀଙ୍କ ମଧ୍ୟରୁ ଚୟନ କରାଯିବା କଥା। କେବଳ ଯୋଗ୍ୟ ଅଧିକାରୀଙ୍କ ସଂଖ୍ୟା କମ୍ ଥିବା କାରଣରୁ ରାଜ୍ୟ ଏହି ଯୋଗ୍ୟତା ନିୟମକୁ ଏଡ଼ାଇ ପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।
