ରାଉରକେଲା: ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଘଣିଘଷାରେ ଘଟିଛି ବିଭତ୍ସ କାଣ୍ଡ । ଶୌଚ ପାଇଁ ଯାଇଥିବା ବେଳେ କାହ୍ନୁଚରଣ ମହାନ୍ତଙ୍କୁ ଜାଳିନେଲେ । ୪ ମୁଖାପିନ୍ଧା ଦୁର୍ବୁତ୍ତ ପେଟ୍ରୋଲ ଢାଳିବା ସହ ଜୋର ଜବରଦସ୍ତ ପେଟ୍ରୋଲ ପିଆଇ ନିଆଁ ଲଗାଇ ଫେରାର ହୋଇଛନ୍ତି । କାହ୍ନୁଚରଣଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜମି ବିବାଦରୁ ଏହି କାଣ୍ଡ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଘଣିଘଷା ଗ୍ରାମର କାହ୍ନୁ ଚରଣ ମହାନ୍ତ ଆଜି ସକାଳେ ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ଚାରିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ ଉପରେ ପେଟ୍ରୋଲ ଢାଳିବା ସହ ନିଆଁ ଲଗାଇ ଦେଇଥିବା କୁହାଯାଉଛି । କାହ୍ନୁଚରଣଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲହୁଣୀପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । ପରେ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ମାଚିସ୍ , ପେଟ୍ରୋଲ ଥିବା ଏକ ବୋତଲ ଓ ଚପଲ ଜବତ କରିଛି ପୋଲିସ । ତେବେ ଏହି ଆକ୍ରମଣ ପଛରେ କିଏ ଏବଂ ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
