ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଆଇଟି ନିୟମକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ଏହି କ୍ରମରେ ବର୍ତ୍ତମାନର ନିୟମରେ ସଂଶୋଧନ ପାଇଁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବଦ୍ୟା ମନ୍ତ୍ରାଳୟ (ଏମଇଟି) ପ୍ରସ୍ତାବ ଦେଇଛି। ପ୍ରସ୍ତାବିତ ନିୟମରେ ବେଆଇନ ଏଆଇ ବିଷୟବସ୍ତୁ ଗୁଡିକୁ ହଟାଇବା ନିୟମକୁ ଅଧିକା କଡ଼ାକଡ଼ି କରିଦିଆଯାଇଛି। ସରକାର କିମ୍ବା କୋର୍ଟଙ୍କ ନିର୍ଦେଶ ପାଇବାର ତିନି ଘଣ୍ଟା ମଧ୍ୟରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଓ ଅନ୍ୟ ଅନଲାଇନ ମଧ୍ୟସ୍ଥମାନଙ୍କୁ ଏହି ବିଷୟବସ୍ତୁ ଗୁଡ଼ିକୁ ହଟାଇବାକୁ ପଡ଼ିବ। ପୂର୍ବରୁ ଏଥିପାଇଁ ୩୬ ଘଣ୍ଟା ସମୟ ମିଳିଥିଲା। ସଂଶୋଧିତ ନିୟମରେ ଏହି ସମୟସୀମାକୁ ହ୍ରାସ କରି ୩ ଘଣ୍ଟା କରିଦିଆଯାଇଛି। ସେହିପରି ଶିଶୁ ଯୌନ ଉତ୍ପୀଡ଼ନ ଭଳି ସମ୍ବେଦନଶୀଳ ବିଷୟବସ୍ତୁ ହଟାଇବା ପାଇଁ ୨ ଘଣ୍ଟା ସମୟ ଦିଆଯାଇଛି।
ଏଆଇ ଦ୍ବାରା ପ୍ରସ୍ତୁତ ବିଷୟବସ୍ତୁର ମାର୍କିଂକୁ ବାଧ୍ୟତାମୂଳକ, ଅଭିଯୋଗ ନିବାରଣ ପ୍ରକ୍ରିୟାକୁ ଦ୍ରୁତ କରାଯାଇଛି। ଡିପଫେକ, ଏଆଇ ଦ୍ବାରା ପ୍ରସ୍ତୁତ ଭୁଲ ସୂଚନା ପ୍ରସାରଣ ରୋକିବା ଏବଂ ଅନ୍ୟାନ୍ୟ ବିପଜ୍ଜନକ ରିପୋର୍ଟିଂକୁ ରୋକିବାକୁ ଏଭଳି ଦୃଢ଼ ପଦକ୍ଷେପ ନିଆଯାଉଛି। ଏମଇଟି ଅନୁଯାୟୀ, ଏଆଇ ଦ୍ବାରା ପରିଚାଳିତ ଡିପଫେକ୍, ନକଲି ଅଡିଓ, ଭିଡିଓ ଓ ବାର୍ତ୍ତା ସମେତ ଅନ୍ୟାନ୍ୟ କୃତ୍ରିମ ବିଷୟବସ୍ତୁ ଠାରୁ ଥିବା ବିପଦର ମୁକାବିଲା କରିବା ଏହି ସଂଶୋଧନର ଲକ୍ଷ୍ୟ। ବେଆଇନ ଭାବେ ପ୍ରସ୍ତୁତ ବିଷୟବସ୍ତୁର ପ୍ରସାର ରୋକିବା ପାଇଁ ସରକାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ମଧ୍ୟସ୍ଥମାନଙ୍କ ନିମନ୍ତେ କଡ଼ା ନିୟମ ପ୍ରସ୍ତାବ ଦେଇଛନ୍ତି। ଏହା ସହିତ ବ୍ୟବହାରକାରୀଙ୍କ ପାଇଁ ଏକ ମୁକ୍ତ, ନିରାପଦ, ବିଶ୍ୱସ୍ତ ଏବଂ ଉତ୍ତରଦାୟୀ ସାଇବର ସ୍ପେସ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।
ପ୍ରସ୍ତାବିତ ନିୟମରେ, ନକଲି ଭିଡିଓ (ଡିପଫେକ) ଏବଂ କ୍ଷତିକାରକ ଏଆଇ ବିଷୟବସ୍ତୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବ୍ୟବସ୍ଥା ରହିଛି। ଫେସବୁକ ଏବଂ ଏକ୍ସ ଭଳି ପ୍ଲାଟଫର୍ମଗୁଡ଼ିକ ଏଭଳି ସାମଗ୍ରୀକୁ ଅଟକାଇବା ପାଇଁ ତୁରନ୍ତ ପଦକ୍ଷେପ ନେବେ।
