ନୂଆଦିଲ୍ଲୀ : ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ବୁଧବାର ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ସିବିଆଇ ଦାଖଲ କରିଥିବା କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ସୁପ୍ରିମକୋର୍ଟ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦେଇଛନ୍ତି । ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଜୟମାଲା ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ସିବିଆଇର କ୍ଲୋଜର ରିପୋର୍ଟକୁ ଗ୍ରହଣ କରିଥିଲେ ।
କୋର୍ଟ କହିଛନ୍ତି ଯେ, ସିବିଆଇର କ୍ଲୋଜର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ଏବଂ ତାଙ୍କ ବିରୋଧରେ ଯାଞ୍ଚ କରିବାର କୌଣସି ଯଥାର୍ଥତା ନାହିଁ । କୋର୍ଟ ଏହି ମାମଲକୁ ଶେଷ କରିଦେଇଛନ୍ତି । କୋଇଲା ବ୍ଲକ ଆବଣ୍ଟନ ମାମଲାରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ବତନ୍ତ୍ର ସିବିଆଇ ଅଦାଲତ ଠାରୁ ଜାରି କରିଥିବା ସମନକୁ ନେଇ ୨୦୧୫ରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ପ୍ରଥମ ଶୁଣାଣିରେ ମନମୋହନ ସିଂଙ୍କୁ ଆଶ୍ବସ୍ତି ଦେଇ ସମନ ଉପରେ ରୋକ୍ ଲଗାଇଥିଲେ । ମନମୋହନ ସିଂହଙ୍କ ମୃତ୍ୟୁର ଦେଢ଼ ବର୍ଷରୁ ଅଧିକ ସମୟ ବିତିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ମନମୋହନଙ୍କ ମୃତ୍ୟୁ ୨୬ ଡିସେମ୍ବର ୨୦୨୪ରେ ହୋଇଥିଲା ।
ସୁପ୍ରିମକୋର୍ଟ କହିଛନ୍ତି, ସିବିଆଇ ଏହି ମାମଲାରେ ଦୁଇଟି କ୍ଲୋଜର ରିପୋର୍ଟ ଦାଖଲ କରିବା ସତ୍ତ୍ୱେ ସ୍ୱତନ୍ତ୍ର କୋର୍ଟ ସିଂହଙ୍କୁ ସମନ ଜାରି କରିଥିଲେ । ଏହାପରେ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିଥିଲେ । ବୁଧବାର ସିଂହଙ୍କ ଆବେଦନ ଗ୍ରହଣ କରାଯାଇଥିଲା ଏବଂ ମାମଲା ବନ୍ଦ କରାଯାଇଥିଲା ।
ସୂଚନାଯୋଗ୍ୟ, କୋଇଲା ଦୁର୍ନୀତି ଦେଶର ସବୁଠାରୁ ବଡ଼ ଦୁର୍ନୀତି । ୧.୮୬ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଯାଞ୍ଚରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୨୦୦୪ରୁ ୨୦୦୯ ମଧ୍ୟରେ ୧୦୦ରୁ ଅଧିକ କୋଇଲା ଖଣି ଆବଣ୍ଟନ ହୋଇଥିଲା । ଅଭିଯୋଗ ଥିଲା କି, ଏସବୁ ଖଣି ନିଲାମୀ ପ୍ରକ୍ରିୟାରେ ଅନିୟମିତତା ରହିଥିଲା । ଅନେକ ବଡ଼ କମ୍ପାନୀ ସମେତ ୧୦୦ କମ୍ପାନୀକୁ ବିନା ନିଲାମୀରେ କୋଇଲା ଖଣି ଆବଣ୍ଟିତ କରାଯାଇଥିଲା ।
