ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଆଜି ଥିଲା ବାହୁଡା଼ରଥ ଯାତ୍ରା ର ପ୍ରଥମ ଦିନ l ଗତକାଲି ଶୁକ୍ରବାର ମାଉସୀମା ମନ୍ଦିରରେ ଦ୍ୱାରିଜା (ସୁନା )ବେଶ ରେ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେବାପରେ ବାହୁଡା଼ ପହଣ୍ଡି ହୋଇ ରଥ ଉପରକୁ ବିଜେ କରିଥିଲେ l ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ପର ଦୁଇଦିନ ରଥଟଣା ହୋଇଥାଏ l ଆଜି ବାହୁଡା଼ ଯାତ୍ରା ର ପ୍ରଥମ ଦିନରେ କାଳିଆ ଶାଆନ୍ତେ ନନ୍ଦିଘୋଷ ରଥରେ ଭକ୍ତମାନଙ୍କ ଗହଣରେ ଢଳିଢଳି ଆସି ବଡ଼ଦେଉଳ ନିକଟ ରଥ ଖଳାରେ ପହିଞ୍ଚିଛନ୍ତି l ସେଠାରେ ଅପେକ୍ଷା କରିଛିନ୍ତି ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରା ଙ୍କୁ l କାଳିଆଶାଆନ୍ତେ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଟଣା ସମ୍ପୂର୍ଣ୍ଣ ହେବା ପରେ ମା ସୁଭଦ୍ରା ଙ୍କ ଦର୍ପୋଦୋଳନ ରଥଟଣା ଆରମ୍ଭ ହୋଇଥିଲା l ବାରିପଦାରେ ମା ସୁଭଦ୍ରା ରଥ କୁ କେବଳ ମହିଳାମାନେ ଟାଣିଥାଆନ୍ତି l
ଆଜି ପ୍ରଥମ ଦିନରେ ମା ସୁଭଦ୍ରା ଙ୍କ ରଥ ମହିଳାଭକ୍ତ ମାନଙ୍କ ଗହଣରେ ଆସି ବଡ଼ଦାଣ୍ଡ ର ନାଭିକେନ୍ଦ୍ର ତଥା ଟାଉନଥାନା ସମ୍ମୁଖରେ ଅଟକିଛି l ଆସନ୍ତାକାଲି ରଥଟଣା ର ଦ୍ୱିତୀୟ ଦିନରେ ପ୍ରଥମେ ମା ସୁଭଦ୍ରା ଙ୍କ ରଥଟଣା ଆରମ୍ଭ ହେବ l ମା ସୁଭଦ୍ରା ଆସି ପହଞ୍ଚିବେ ଭାଇ ଜଗନ୍ନାଥ ଙ୍କ ନିକଟରେ l ପରେ ପରେ ତାଳଧ୍ଵଜ ରଥ ରେ ବଡ଼ ଠାକୁର ପ୍ରୂଭୁ ବଳଭଦ୍ର ଭକ୍ତମାନଙ୍କ ଗହଣରେ ଆସି ଭାଇ ଭଉଣୀ ଙ୍କ ନିକଟରେ ପହଞ୍ଚିବେ l ଆଜି ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା l ଦିନତମାମ ବର୍ଷା ଲାଗିରହିଥବା ସତ୍ୱେ ବଡ଼ଦାଣ୍ଡ ହୋଇଥିଲା ଲୋକାରଣ୍ୟ l ପ୍ରଭୁ ଜଗନ୍ନାଥ ରଥ ଟାଣିବା ପାଇଁ ଭକ୍ତ ବ୍ୟାକୁଳ l ବଡ଼ଦାଣ୍ଡରେ ଭକ୍ତଙ୍କର ମହାମିଳନ ଦେଖିବାକୁ ମିକିଥିଲା l ବଡ଼ଦାଣ୍ଡ ହୋଇଥିଲା ଭକ୍ତିମୟ l ଶଙ୍ଖ, ହୁଳୁହୁଳି, ହିରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକୋମ୍ପିତ ହୋଇଉଠିଥିଲା l ଭକ୍ତଗଣ ଚାହିଁବସିଥାଆନ୍ତି ଏହି ଦିନକୁ l ଆଜି କାଳିଆ ଠାକୁରଙ୍କ ରଥ ଟଣା l ଦୀର୍ଘ ଏକ ବର୍ଷ ର ଅପେକ୍ଷା ପରେ ଆଜି ସେହି ଦିନ ଆସିଛି l ଭକ୍ତବୃନ୍ଦ ଙ୍କ ମନ ଆନନ୍ଦ ଉଲ୍ଲାସରେ ଭରିରହିଛି l ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ କୁ ଟାଣି ନିଜକୁ ସୌଭାଗ୍ୟ ମଣିବେ lଏହି ସୌଭାଗ୍ୟ ଟିକେ ମିଳିଲେ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି l ଆଜି ଏହି ସୌଭାଗ୍ୟ ମିଳିଛି l ତେଣୁ ଅତ୍ୟଧିକ ଆନନ୍ଦ ସହକରେ ଭକ୍ତମନେ ରଥ ଟାଣୁଥିବାର ଦେଖିବାକୁ ମିଳିଥିଲା l
ମଝିରେ ମଝିରେ ରଥଟଣା ସମୟରେ ଅଗ୍ନିଶ୍ରମ ବାହିନୀ ପକ୍ଷରୁ ବଡ଼ଦାଣ୍ଡ ରେ ଭକ୍ତମାନଙ୍କ ଉପରକୁ ପାଣି ଛିଞ୍ଚନ କରାଯାଉଥିଲା l ଆଃ କି ଆନନ୍ଦ l ନାଚି ଉଠୁଥାଆନ୍ତି ଭକ୍ତବୃନ୍ଦ l ରଥ ସମ୍ମୁଖରେ କୀର୍ତ୍ତନ ସାଙ୍ଗକୁ ନୃତ୍ୟାଙ୍ଗିନୀ ମାନଙ୍କର ଓଡିଶୀ ନୃତ୍ୟ ରେ ଆହୁରି ଭକ୍ତିମୟ ହୋଇଉଠିଥିଲା ବଡ଼ଦାଣ୍ଡ l ରଥଟଣା ରେ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବା ସହିତ ସି ସି ଟିଭି କ୍ୟାମେରାରେ ପୋଲିସ ପକ୍ଷରୁ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା l ରଥଟଣା ସମୟରେ ପ୍ରଶାସନିକ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ l ବଡ଼ଦାଣ୍ଡରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କୁ ଦହିସର୍ବତ, ଥଣ୍ଡାପାଣି, ଅନ୍ନଭୋଗ ଆଦି ବଣ୍ଟନ କରାଯାଇଥିଲା l ରଥଟଣା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଗନ୍ନାଥ ସଂସ୍କୃତି ସହିତ ଧାରା ବିବରଣୀ ପ୍ରଦାନ କରାଯାଉଥିବା ବେଳେ ରଥ ଉପରୁ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ l
