Oplus

ମୟୂରଭଞ୍ଜରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟକ୍ରମର ସମୀକ୍ଷା

ରାଜ୍ୟ
  • ସମୟବଦ୍ଧ, ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିର ଦେଲେ ଗୁରୁମନ୍ତ୍ର
ବାରିପଦା : ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାର ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ଉପ-ସଚିବ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ର ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ । ଗସ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼. ସାହୁ ୩୦-କରଞ୍ଜିଆ, ୨୬-ଯଶୀପୁର ଏବଂ ୨୭-ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଶୁଣାଣି କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସେ ସଂପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ସୁପରଭାଇଜରମାନଙ୍କ ସହ ଆଲୋଚନା କରି ଶୁଣାଣି ପ୍ରକ୍ରିୟା ଓ କ୍ଷେତ୍ରସ୍ତରରେ ଚାଲିଥିବା ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରିଥିଲେ ।
                ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ହେମକାନ୍ତ ସୟ୍,, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ ତଥା ବାଙ୍ଗିରିପୋଷି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ତଥା ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ, ଉପଜିଲ୍ଲାପାଳ କରଞ୍ଜିଆ ତଥା ଯଶିପୁର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଡ଼ ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ଉପ-ଜିଲ୍ଲାପାଳ ବାରିପଦା ତଥା ମୋରଡା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ରାଖାଲ ଚନ୍ଦ୍ର ପରିଡ଼ା ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ଆଭାସୀ ଯୋଗେ ବୈଠକରେ ଅଂଶଗ୍ରହଣ କରିଥିଲେ ।
                  ବୈଠକରେ ପୋଷ୍ଟ-ଡ୍ରାଫ୍ଟ ପର୍ଯ୍ୟାୟରେ ନୋଟିସ ପ୍ରସ୍ତୁତି, ନୋଟିସ ବିତରଣ, ଅନମ୍ୟାପ୍ ଭୋଟରମାନଙ୍କ ଶୁଣାଣି, ଚୂଡାନ୍ତ ସ୍ଥାନାନ୍ତର ପ୍ରକ୍ରିୟା ଏବଂ ମାମଲାଗୁଡ଼ିକର ନିଷ୍ପତ୍ତିର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଦାବି ଓ ଆପତ୍ତି ଗୁଡ଼ିକର ଶୀଘ୍ର ନିଷ୍ପତ୍ତି, ସମୟ ସୀମା ମଧ୍ୟରେ ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟ ସମ୍ପାଦନ ଏବଂ ସଠିକ୍, ସ୍ୱଚ୍ଛ ଓ ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା ।
                     ସମୀକ୍ଷା ଅବସରରେ ଡ଼. ସାହୁ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ ନପଡ଼ନ୍ତି, ସେଥିପ୍ରତି ବିଶେଷ ଗୁରୁତ୍ୱାରୋପ କରିଥିଲେ । ନୋଟିସ ପ୍ରସ୍ତୁତି ଓ ବିତରଣ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ କରିବା, ଅନମ୍ୟାପ୍ଡ ଭୋଟରମାନଙ୍କ ଶୁଣାଣି ଏବଂ ଚୂଡାନ୍ତ ସ୍ଥାନାନ୍ତର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ ଓ ସୁସମନ୍ୱିତ କରିବା ସହ ନୋଟିସ ଓ ଶୁଣାଣି ପ୍ରକ୍ରିୟାକୁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସତର୍କତାର ସହ ସମ୍ପାଦନ କରିବା ପାଇଁ ସେ ପରାମର୍ଶ ପ୍ରଦାନ କରିଥିଲେ ।