ନୂଆଦିଲ୍ଲୀ : ପେପର ଲିକ୍ ମାମଲାକୁ ନେଇ ଜନ୍ତରମନ୍ତରରେ ପ୍ରତିବାଦ ଜାରି ରହିଛି । ଏବେ, ସରକାର ମଧ୍ୟ ଏହି ପ୍ରସଙ୍ଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ଦୃଢ଼ ବାର୍ତ୍ତା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି ବୋଲି ଦୁଇଟି ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ମୋଦି କ୍ୟାବିନେଟ୍ ପେପର ଲିକ୍ ସଂଶୋଧନ ବିଲ୍ କୁ ମଞ୍ଜୁରୀ ଦେଇଛି। ଶୁକ୍ରବାର ଜନ୍ତରମନ୍ତରରେ ଛାତ୍ରଙ୍କ ବିରୋଧ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି । ବିଲ୍ ରେ ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟି ଜରିମାନାର ବ୍ୟବସ୍ଥା କରାଯାଇଛି ।
ପ୍ରକାଶଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ବିଳମ୍ବିତ ରାତିରେ ଘୋଷଣା କରିଛନ୍ତି ଯେ, ଆସନ୍ତା ସପ୍ତାହରେ ସଂସଦରେ ଏକ ବିଲ୍ ଆଗତ କରାଯିବ । ଯେଉଁଥିରେ ପେପର ଲିକ୍ ମାମଲା ବିରୋଧରେ କଠୋର ବ୍ୟବସ୍ଥା ସାମିଲ ରହିବ ବୋଲି ଜଣାଯାଇଥିଲା । ଏହାରି ମଧ୍ୟରେ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଡ୍ରାପ୍ଟ ବିଲ ଉପରେ ଆଲୋଚନା ହୋଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।
ସେ ଏହା ମଧ୍ୟ କହିଥିଲେ ଯେ, ଶୁକ୍ରବାର କ୍ୟାବିନେଟ୍ ପେପର ଲିକ୍ ପ୍ରସଙ୍ଗ ଉପରେ ଆଲୋଚନା କରିବ ଏବଂ କ୍ୟାବିନେଟ୍ ସହକର୍ମୀଙ୍କ ପରାମର୍ଶ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ। ସୋମବାର ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେବା ପରେ ପେପର ଲିକ୍ ସମ୍ବନ୍ଧୀୟ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ସହିତ ଏକ ବିଲ୍ ଆଗତ କରାଯିବ ଏବଂ ଆମେ ଏହାକୁ ଯଥାଶୀଘ୍ର ପାରିତ କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେ ଯେ, ପେପର ଲିକ୍ କୌଣସି ଛୋଟ ସମସ୍ୟା ନୁହେଁ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପାଇଁ ଏପରି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ତେଣୁ NEET ପେପର ଲିକ୍ ସାମ୍ନାକୁ ଆସିବା ପରଠାରୁ ଅନେକ କଠୋର ପଦକ୍ଷେପ ନିଆଯାଇଛି । ସମସ୍ତ ପେପର ଲିକ୍ ମାମଲାରେ ଦୋଷୀଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
ଅନ୍ୟପଟେ ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ପେପର ଲିକ୍ ମାମଲା ପାଇଁ ୨୬ ଦିନ ଧରି ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଗତକାଲି ରାତିରେ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ, ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଗୁରୁବାର ବିଳମ୍ବିତ ରାତିରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ୱାଙ୍ଗଚୁକ୍ଙ୍କୁ ଭେଟିଥିଲେ। ଦୁଇ ମନ୍ତ୍ରୀ ସରକାରଙ୍କ ପକ୍ଷରୁ ୱାଙ୍ଗଚୁକ୍ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତା’ପରେ ସେ ତାଙ୍କର ଅନଶନ ସମାପ୍ତ କରିଥିଲେ । ଏହା ବ୍ୟତୀତ ୱାଙ୍ଗଚୁକ୍ ତାଙ୍କର ଅନଶନ ସମାପ୍ତ କରିବା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ, ମୁଁ ସୋନମଙ୍କୁ ଡାକ୍ତରଙ୍କ ପରାମର୍ଶ ପାଳନ କରିବାକୁ ଏବଂ ତାଙ୍କର ଓଜନକୁ ପୂର୍ବ ସ୍ତରକୁ ଫେରାଇ ଆଣିବାକୁ ଅନୁରୋଧ କରୁଛି । ମୁଁ ପ୍ରାର୍ଥନା କରୁଛି ଯେ ସେ ସୁସ୍ଥ ରୁହନ୍ତୁ ।
