Opposition in black 750x430

କଳା ପୋଷାକ ପିନ୍ଧି ସଂସଦରେ ବିରୋଧୀଙ୍କ ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନ ଓ ଅମିତ ଶାହଙ୍କ ଇସ୍ତଫା ଦାବି

ଦେଶ - ବିଦେଶ

ନୂଆଦିଲ୍ଲୀ: ନିଟ୍‌ ବିବାଦ ଏବଂ ଛାତ୍ର ଆନ୍ଦୋଳନ ଉପରେ ପୋଲିସ ଲାଠିଚାର୍ଜକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରତିବାଦ ଆହୁରି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସର ଧାରଣାର ପରଦିନ ବୁଧବାର କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ବିକ୍ଷୋଭ କରିଛନ୍ତି। ସେମାନଙ୍କ ସହ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ମଧ୍ୟ ସାମିଲ ହୋଇଥିଲେ।

ସଂସଦ ପ୍ରବେଶ ଦ୍ୱାର ନିକଟରେ ବିରୋଧୀ ସାଂସଦମାନେ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ସମାଜବାଦୀ ପାର୍ଟିର ସାଂସଦମାନେ କଳା ସ୍କାର୍ଫ ପିନ୍ଧି ପ୍ରତିବାଦରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ କଂଗ୍ରେସର ଧାରଣାରେ ସାମିଲ ହୋଇଥିଲେ।

ବିରୋଧୀ ଦଳ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲା ଏବଂ ସୋମବାର ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଆଲୋଚନା ଦାବି କରୁଛନ୍ତି। ତେବେ କଂଗ୍ରେସ ନେତା ପବନ ଖେରା କହିଛନ୍ତି, ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ, ତା’ପରେ ଆଲୋଚନା ହେବ। ଏତେ ସଂଖ୍ୟକ ଛାତ୍ରଙ୍କ ଉପରେ ଲାଠିଚାର୍ଜ ପରେ କେବଳ ଆଲୋଚନାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ବିରୋଧୀଙ୍କ ଦାବି ଅନୁଯାୟୀ ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। କେଉଁ ନିୟମ ଅନୁସାରେ ଆଲୋଚନା ହେବ, ତାହା ସମସ୍ତ ଦଳର ନେତାଙ୍କ ସହ ବୈଠକ ପରେ ଲୋକସଭା ବାଚସ୍ପତି ନିଷ୍ପତ୍ତି ନେବେ। ଏହାପୂର୍ବରୁ ମଙ୍ଗଳବାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ନିଟ୍‌ ବିବାଦକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିଲେ। ଏହା ସହ ପୋଲିସ କାର୍ଯ୍ୟାନୁଷ୍ଠାନର ତଦନ୍ତ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଧାନମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ସମେତ ୫ଟି ଦାବି ଉଠାଇଥିଲେ।

ଅନ୍ୟପକ୍ଷରେ ବିଜେପି କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ରାହୁଲ ଗାନ୍ଧୀ ଛାତ୍ରମାନଙ୍କୁ ନିଜ ରାଜନୀତିର ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛି। କଂଗ୍ରେସର ପ୍ରଧାନମନ୍ତ୍ରୀ ବାସଭବନ ସାମ୍ନାରେ ଧାରଣାର ପ୍ରତିବାଦରେ ଦେଶବ୍ୟାପୀ କଂଗ୍ରେସ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାକୁ ମଧ୍ୟ ବିଜେପି ପ୍ରସ୍ତୁତି ଚଳାଇଛି।