IMG 20260708 WA0023

ବଢ଼ୁଛି ଜଳସ୍ତର: ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍

ରାଜ୍ୟ

ସମ୍ବଲପୁର: ଛତିଶଗଡ଼ ସମେତ ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଅବ୍ୟାହତ ରହିଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳର ପ୍ରବାହ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜଳଭଣ୍ଡାରର ସ୍ଥିତି ଓ ବର୍ଦ୍ଧିତ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ଆଉ ୪ଟି ଅତିରିକ୍ତ ସ୍ଲୁଇସ୍ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ଅତିରିକ୍ତ ଗେଟ୍ ଖୋଲିବା ଦ୍ୱାରା ମହାନଦୀରେ ଜଳପ୍ରବାହ ଆହୁରି ତୀବ୍ର ହୋଇଛି।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଜଳଗ୍ରହଣ ଅଞ୍ଚଳରେ ଲଗାତାର ବର୍ଷା ହେଉଥିବାରୁ ଜଳଭଣ୍ଡାର ମଧ୍ୟକୁ ହୁ ହୁ ହୋଇ ପାଣି ପଶୁଛି। ଜଳସ୍ତର ବିପଦ ସଙ୍କେତ ଆଡ଼କୁ ଯାଉଥିବାରୁ ଡ୍ୟାମ୍ ପରିଚାଳନା କମିଟି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ କେବଳ ୪ଟି ଗେଟ୍ ଦେଇ ହିଁ ଜଳ ନିଷ୍କାସନ କରାଯାଉଥିଲା। ମାତ୍ର ଜଳ ପ୍ରବେଶର ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇବାରୁ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟାୟ କ୍ରମେ ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ପ୍ରଶାସନ ବାଧ୍ୟ ହୋଇଛି।

ହୀରାକୁଦରୁ ଏକକାଳୀନ ଅଧିକ ଜଳ ଛଡ଼ାଯିବା କାରଣରୁ ମହାନଦୀର ତଳିଆ ଅଞ୍ଚଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବାରେ ଲାଗିଛି। ସ୍ରୋତ ଅତ୍ୟନ୍ତ ପ୍ରଖର ଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କଡ଼ା କଟକଣା ଜାରି କରାଯାଇଛି। ନଦୀ ଗର୍ଭକୁ ଯିବା, ଗାଧୋଇବା, ମାଛ ଧରିବା କିମ୍ବା ନିଜ ଗୃହପାଳିତ ପଶୁମାନଙ୍କୁ ନଦୀକୂଳକୁ ଛାଡ଼ିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଲୋକଙ୍କୁ ନଦୀ କୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ବନ୍ୟା ଜଳ ନିଷ୍କାସନ ବୃଦ୍ଧି ପାଇଥିବାରୁ ମହାନଦୀ ଅବବାହିକାରେ ଆସୁଥିବା ୧୩ଟି ଜିଲ୍ଲାର ପ୍ରଶାସନକୁ ଆଲର୍ଟ ରଖାଯାଇଛି। କୌଣସି ପ୍ରକାର ଆକସ୍ମିକ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।