ବାରିପଦା: ଆଜି ରାଇରଙ୍ଗପୁର ନୂତନ ପୋଲିସ ଜିଲ୍ଲା ରେ ଟ୍ରାଫିକ ୟୁନିଟର କାର୍ଯ୍ୟକ୍ଷମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ନବ ଚରଣ ମାଝୀ ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ଜଲେନ ନାଏକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଜେନା,ଶ୍ରୀମତୀ ମମତା ସାହୁ, ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବୀରେନ୍ଦ୍ର ସେନାପତି, ଟାଉନ ଥାନା ଆଇ ଆଇ ସି ଶ୍ରୀ ରଞ୍ଜନ ସେଠୀ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଶକୁନ୍ତଳା ହାଁସଦା, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ପୋଲିସ ବିଭାଗର ପଦାଧିକାରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ। ଏହାପରେ ଜନସାଧାରଣଙ୍କ ଉଦେଶ୍ୟରେ ସଚେତନତା ବାର୍ତ୍ତା ସହ ଉକ୍ତ ଟ୍ରାଫିକ ୟୁନିଟ ଦୁର୍ଗା ମଣ୍ଡପ ଠାରୁ ବାହାରି ରଥଦାଣ୍ଡ ଦେଇ ସହର ପରିକ୍ରମା କରିଥିଲେ।
ଏହି ଅବସରରେ ସାଂସଦ କହିଥିଲେ ରାଇରଙ୍ଗପୁର ଅଂଚଳବାସୀଙ୍କ ବହୁ ଦିନର ଦାବି ଆଜି ପୂରଣ ହେଲା। ଆଜି ରାଇରଙ୍ଗପୁର ପୋଲିସ ଜିଲ୍ଳାରେ ୩୬ ଜଣିଆ ଟ୍ରାଫିକ ୟୁନିଟ କାର୍ଯ୍ୟକ୍ଷମ ହୋଇଛି ଏବଂ ଏହା ଆଗାମୀ ସମୟରେ ଅଂଚଳବାସୀଙ୍କ ପାଇଁ ନିଶ୍ଚିତ ଭାବେ ସହାୟକ ହେବ।
ସେହିପରି ଆରକ୍ଷୀ ଅଧିକ୍ଷକ କହିଥିଲେ, ଯେକୌଣସି ଅଞ୍ଚଳର ଉନ୍ନତି ଓ ପ୍ରଗତି ସହିତ ଯାନବାହନର ସଂଖ୍ୟା ବୃଦ୍ଧି ପାଇଥାଏ। ଏହା ସହିତ ସଡ଼କ ସୁରକ୍ଷା, ଯାତାୟାତ ପରିଚାଳନା ଏବଂ ଦୁର୍ଘଟଣା ନିୟନ୍ତ୍ରଣ ଭଳି ଚ୍ୟାଲେଞ୍ଜ ମଧ୍ୟ ବଢ଼ିଥାଏ। ଏହି ପରିପ୍ରେକ୍ଷୀରେ ନୂତନ ଟ୍ରାଫିକ ୟୁନିଟର କାର୍ଯ୍ୟକ୍ଷମ ହେବା କେବଳ ଏକ ପ୍ରଶାସନିକ ପଦକ୍ଷେପ ନୁହେଁ, ବରଂ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧା ପ୍ରତି ପୁଲିସ ବିଭାଗର ଏକ ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ଅଟେ।
ଏହି ଟ୍ରାଫିକ ୟୁନିଟ ମାଧ୍ୟମରେ ଯାତାୟାତର ସୁଚାରୁ ପରିଚାଳନା, ସଡ଼କ ଦୁର୍ଘଟଣା ହ୍ରାସ, ଟ୍ରାଫିକ ନିୟମ ସମ୍ପର୍କରେ ଜନସଚେତନତା ବୃଦ୍ଧି ଏବଂ ଆଇନର ଫଳପ୍ରସୂ କାର୍ଯ୍ୟକାରିତା ସୁନିଶ୍ଚିତ ହେବ ବୋଲି ସେ କହିଥିଲେ। ଟ୍ରାଫିକ ପରିଚାଳନା କେବଳ ପୁଲିସର ଦାୟିତ୍ୱ ନୁହେଁ, ଏହା ସମାଜର ପ୍ରତ୍ୟେକ ନାଗରିକଙ୍କ ଏକ ସାମୂହିକ ଦାୟିତ୍ୱ। ତେଣୁ ଏଥି ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ “ସଡ଼କ ସୁରକ୍ଷା ଜୀବନ ରକ୍ଷା ” ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ପୋଲିସ ପକ୍ଷରୁ ପ୍ରଥମେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ମାନିବା, ହେଲମେଟ ଓ ସିଟ୍ ବେଲ୍ଟର ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ସଡ଼କ ସୁରକ୍ଷା ପ୍ରତି ସଚେତନ ହେବା ପାଇଁ ଉଦ୍ୟମ କରାଯିବ। ପରବର୍ତୀ ସମୟରେ ଅମାନିଆଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଶେଷରେ ସମସ୍ତଙ୍କୁ ରାସ୍ତାରେ ଯାତାୟାତ ସମୟରେ ଟ୍ରାଫିକ ନିୟମ ମାନିବା ପାଇଁ ନିବେଦନ କରିବା ସହ କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇ ଥିଲେ।
