କଟକ : ମାଛ ଧରୁ ଧରୁ ଖସି ପଡ଼ିଲେ । କଟକ ଯୋବ୍ରା ବ୍ୟାରେଜରେ ଅଘଟଣ । ମହାନଦୀକୁ ଖସି ପଡ଼ିଲେ ଯୁବକ । ବ୍ୟାରେଜ ଉପରେ ଛିଡ଼ା ହୋଇ ନଦୀକୁ ଜାଲ ପକାଇ ମାଛ ଧରୁଥିବା ବେଳେ ଖସି ଗଲା ଗୋଡ଼ । ତୁରନ୍ତ ଖବର ପାଇ ପହଞ୍ଚିଲା ଅଗ୍ନିଶମ ବାହିନୀ । ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର କର୍ମଚାରୀ କଲେ ଉଦ୍ଧାର । ଉଦ୍ଧାର ଯୁବକ ନାଗରାଜ ରାଓ। ବୟସ ୧୯ ବର୍ଷ । ଆଜି ଭୋର୍ ସମୟରେ ଘଟିଛି ଘଟଣା । ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେ ବନ୍ଦ୍ ହେଉ ନାହିଁ ମାଛ ଧରା ।
ସେହିପରି ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ପରେ କଟକ ଜିଲାରେ କୃତ୍ରିମ ବନ୍ୟା ଓ ନଦୀ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା ଓ ପ୍ରବେଶକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । କଟକ ମହାନଗର ନିଗମ (କେଏମସି) କମିସନର ଏବଂ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ ଘାଟଗୁଡ଼ିକରେ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବା ସହ ନିରନ୍ତର ତଦାରଖ ପାଇଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ନିର୍ଦେଶ ଦିଆଯାଇଛି।
