IMG 20260712 WA0127

ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡ଼େମୀ ପକ୍ଷରୁ ୩ ଦିନିଆ ଫୁଟବଲ ଦକ୍ଷତା ବୃଦ୍ଧି କର୍ମଶାଳା “ଆରମ୍ଭ” ଉଦଘାଟିତ 

ରାଜ୍ୟ
ବାରିପଦା : ଟାଟା ଟ୍ରଷ୍ଟସ୍‌ର ଆନୁକୂଲ୍ୟରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡ଼େମୀ ଦ୍ୱାରା ଆୟୋଜିତ ୩ ଦିନିଆ ଫୁଟବଲ ଉପରେ ଦକ୍ଷତା ବିକାଶ କର୍ମଶାଳା ‘ଆରମ୍ଭ’ ବାରିପଦା ଷ୍ଟାଡ଼ିୟମରେ ଉଦ୍‌ଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଜ୍ଞାନ, ତାଲିମ ଦକ୍ଷତା ଏବଂ ତୃଣମୂଳ ସ୍ତରର ନେତୃତ୍ୱ ମାଧ୍ୟମରେ ସାମୁହିକ କ୍ରୀଡ଼ାର ବିକାଶ ପାଇଁ ଏକ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିବା I ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ I ଓଡ଼ିଶା ଫୁଟବଲ କ୍ଲବର କୋଚ୍ ମୀର ଆସିଫ୍ ଏହି କର୍ମଶାଳାରେ ତାଲିମ ପ୍ରଦାନ କରିବେ I
ଅନ୍ୟ ମାନଙ୍କ ମଧ୍ୟରେ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ଫୁଟବଲ୍ ସମ୍ପାଦକ ତଥା ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ନିର୍ଦ୍ଦେଶକ ଅମର ସେଠୀ, ପରାମର୍ଶଦାତା ସୋମନାଥ ସିଂହ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ ସହ-ପ୍ରତିଷ୍ଠାତା ସାଇ କିରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୫ ଜଣ ମାଷ୍ଟର ଟ୍ରେନର୍ ଏବଂ ୧୦ ଜଣ ପ୍ରଶିକ୍ଷକ ଅଂଶଗ୍ରହଣ କରିଛନ୍ତି ଓ ସେମାନଙ୍କୁ ଏହି କର୍ମଶାଳାରେ ଫୁଟବଲ୍‌ର ବିଭିନ୍ନ ବୈଷୟିକ ଦିଗ ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟ ଆୟୋଜକ ଦିବ୍ୟରଞ୍ଜନ ଦାସ ଜଣାଇଛନ୍ତି I ପରବର୍ତ୍ତୀ ସମୟରେ ତାଲିମପ୍ରାପ୍ତ ପ୍ରଶିକ୍ଷକମାନେ ନିଜନିଜ ଅଂଚଳରେ ୮ରୁ ୧୮ ବର୍ଷ ବୟସର ଯୁବପ୍ରତିଭା ମାନଙ୍କୁ ଚୟନ କରିବା ସହ ବର୍ଷସାରା ତାଲିମ ପ୍ରଦାନ କରିବେ I ଫଳରେ ସେମାନେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିପାରିବେ ବୋଲି ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ସେଠି ଆଶାପୋଷଣ କରିଛନ୍ତି I