China

ଜଳିଗଲା ଜୋତା ଫ୍ୟାକ୍ଟ୍ରି, ୨୮ ମୃତ

ଦେଶ - ବିଦେଶ

ଚୀନ୍ : ଚୀନର ଜିନଜୟାଙ୍ଗ ସହରରେ ଥିବା ଏକ ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ୨୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୧୨ଟାରେ ଜୋତା ଫ୍ୟାକ୍ଟ୍ରିର ପ୍ରଥମ ମହଲାରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଶୀଘ୍ର ୫ମହଲା ବିଶିଷ୍ଟ କୋଠାକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ସମୟରେ ଫ୍ୟାକ୍ଟ୍ରିରେ ପ୍ରାୟ ୨୩୭ ଜଣ ଲୋକ କାମ କରୁଥିଲେ । ଯେଉଁମାନଙ୍କ ମଧ୍ୟରେ ୨ ଜଣ ପରିଦର୍ଶକ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ୨୧୩ ଜଣଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୨୮ଜଣଙ୍କର  ମୃତ୍ୟୁ ହୋଇଥିଲା । ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏଥିସହ ପୋଲିସ ଫ୍ୟାକ୍ଟ୍ରିର ମାଲିକଙ୍କୁ ଗିରଫ କରିବା ସମେତ କମ୍ପାନୀର ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି ।

ଅନ୍ୟପଟେ ଅଗ୍ନିକାଣ୍ଡ ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତଦାରଖ କରିବା ପାଇଁ ଜିନଜିଆଙ୍ଗ ସହରକୁ ଏକ ମିଳିତ ଦଳ ପଠାଯାଇଛି ବୋଲି ଚୀନର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ କହିଛି ।