Parichaya 2026 07 09 17 56 16 (1)

ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଦୁଇଦିନିଆ କର୍ମଶାଳା ‘ପରିଚୟ’ ଅନୁଷ୍ଠିତ: ଓଡ଼ିଶାର ସଂସ୍କୃତି ଓ ସ୍ଥାନୀୟ ପ୍ରସିଦ୍ଧିକୁ ଡିଜିଟାଲ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଆହ୍ୱାନ

ରାଜ୍ୟ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଡିଜିଟାଲାଇଜେସନ ଦିଗରେ କାର୍ଯ୍ୟ କରୁଥିବା ‘ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ’ ପକ୍ଷରୁ ସ୍ଥାନୀୟ ସି.ୱାଇ.ଏସ୍‍.ଡି. ସଭାଗୃହରେ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ‘ପରିଚୟ’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ପ୍ରତିଷ୍ଠିତ ଭାଷାବିତ୍ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ବହୁମୂଲ୍ୟ ଅଭିଭାଷଣରେ ସେ ଓଡ଼ିଶାର ବିଭିନ୍ନ ଐତିହାସିକ ସ୍ଥାନ, ଜଣାଶୁଣା ବ୍ୟକ୍ତିତ୍ୱ, ପାରମ୍ପରିକ ଖାଦ୍ୟ ଏବଂ ସାଂସ୍କୃତିକ ଘଟଣାବଳୀର ସମ୍ପୂର୍ଣ୍ଣ ଓ ସଠିକ୍ ତଥ୍ୟ ଡିଜିଟାଲ ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ। ସମଗ୍ର ବିଶ୍ୱ ଆଗରେ ଓଡ଼ିଶାର ପ୍ରକୃତ ପରିଚୟ ସୃଷ୍ଟି କରିବା ପାଇଁ ଏଭଳି ପ୍ରୟାସ ଏକାନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ।

ଏହି ଦୁଇଦିନିଆ କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ସେମାନେ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ, ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ଜୀବିତ ଓ ଦିବଂଗତ ପ୍ରତିଭା, ପାରମ୍ପରିକ ପର୍ବପର୍ବାଣୀ ଏବଂ ସ୍ଥାନୀୟ ସ୍ୱାଦିଷ୍ଟ ଖାଦ୍ୟ ସମ୍ପର୍କରେ ବ୍ୟାପକ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଏକାଡେମୀର ସଚିବ ଡ. ପ୍ରଦୀପ କୁମାର ରାଉତ ଅଧ୍ୟକ୍ଷତା କରି କହିଥିଲେ ଯେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କେବଳ ସାହିତ୍ୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଆମ ଆଞ୍ଚଳିକ ଅର୍ଥନୀତିର ବିକାଶ ସହିତ ସିଧାସଳଖ ଜଡ଼ିତ। ଓଡ଼ିଶାର ପାରମ୍ପରିକ ବେଶପୋଷାକ, ସ୍ଥାନୀୟ ଖାଦ୍ୟ ଓ ପ୍ରସିଦ୍ଧ ପ୍ରତିଷ୍ଠାନଗୁଡ଼ିକର ବ୍ୟାପକ ପ୍ରଚାର ହେଲେ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବା ସହ ନୂଆ ପିଢ଼ିର ଯୁବଗୋଷ୍ଠୀ ମଧ୍ୟ ଏହି ଆର୍ଥିକ ବିକାଶର ପ୍ରମୁଖ ଅଂଶୀଦାର ହୋଇପାରିବେ।

କର୍ମଶାଳା ଅବଧି ମଧ୍ୟରେ ମୋଟ ଚାରିଟି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରତିନିଧିମାନେ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଚିନ୍ତନ ଓ ଆଲୋଚନା କରିଥିଲେ। ଏହି ଅଧିବେଶନଗୁଡ଼ିକରେ ଡ. ଅଜୟ କୁମାର ମିଶ୍ର, ଡ. ଅଭିରାମ ବିଶ୍ୱାଳ, ଡ. ଶାନ୍ତନୁ କୁମାର ରଥ, ମାନସ ମୁଦୁଲି ଓ ରିତୁ ପଟ୍ଟନାୟକ ପ୍ରମୁଖ ସଂସାଧନ ବକ୍ତା (ରିସୋର୍ସ ପର୍ସନ) ଭାବେ ଯୋଗଦେଇ ପ୍ରତିନିଧିମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇଥିଲେ।

କର୍ମଶାଳାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସି.ୱାଇ.ଏସ୍‍.ଡି.ର ପ୍ରତିଷ୍ଠାତା ଜଗଦାନନ୍ଦ, ଓକାକ୍ର ଜେନେରାଲ ମ୍ୟାନେଜର ସବ୍ୟସାଚୀ ହୋତା ଏବଂ ଓଡ଼ିଶା ନଲେଜ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୋଥାଳ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିବା ସହ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ କର୍ମଶାଳାରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ଏକାଡେମୀର ବରିଷ୍ଠ ପରିଚାଳକ ସ୍ମୃତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମ ପରିଚାଳନାରେ ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର, ପରାମର୍ଶଦାତା ଡ. ଡି. ଏନ୍‍. ମହାନ୍ତି, ଦେବାନନ୍ଦ ଭଞ୍ଜ, ସଚ୍ଚିଦାନନ୍ଦ ପଣ୍ଡା, ସୂର୍ଯ୍ୟରଞ୍ଜନ ମହାନ୍ତି ଓ ସୂର୍ଯ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।