IMG 20260705 WA0203

ମୟୂରଭଞ୍ଜ ଜିଲ୍ଲାର ଚିଠା ଭୋଟର ତାଲିକା–୨୦୨୬ ପ୍ରକାଶିତ

ରାଜ୍ୟ
  • ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ
ବାରିପଦା  : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚିଠା ଭୋଟର ତାଲିକା–୨୦୨୬ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇଛି । ଏଥିସହ ଆସନ୍ତା ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।
ବୈଠକରେ ଜିଲ୍ଲାପାଳ ଶ୍ରୀ ସୟ୍ କହିଥିଲେ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନର ମୂଳ ଉଦ୍ଦେଶ୍ୟ ହେଉଛି ଏକ ନିର୍ଭୁଲ, ସ୍ୱଚ୍ଛ, ଅଦ୍ୟତନ ଏବଂ ସର୍ବସମାବେଶୀ ନିର୍ବାଚନୀ ନାମାବଳୀ ପ୍ରସ୍ତୁତ କରିବା । ଚିଠା ଭୋଟର ତାଲିକା ପ୍ରକାଶ ପରେ ମତଦାତାମାନେ ନିଜ ନାମ ଓ ବିବରଣୀ ଯାଞ୍ଚ କରି ଆବଶ୍ୟକ ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ନୂତନ ଯୋଗ୍ୟ ମତଦାତାଙ୍କ ନାମ ଅନ୍ତର୍ଭୁକ୍ତ, ସଂଶୋଧନ, ସ୍ଥାନାନ୍ତରଣ ଏବଂ ଅଯୋଗ୍ୟ ନାମ ବିଲୋପ ସମ୍ବନ୍ଧୀୟ ଆବେଦନଗୁଡ଼ିକ ନିର୍ଦ୍ଧାରିତ ପ୍ରକ୍ରିୟାରେ ଗ୍ରହଣ କରାଯିବ ବୋଲି ଶ୍ରୀ ସୟ୍ କହିଥିଲେ । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ୩୦ ମେ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଘରକୁ ଘର ଯାଇ ମତଦାତାଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କରାଯାଇଥିଲା । ୨୮ ଜୁନ ୨୦୨୬ରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ ତଥା ନୂତନ ମତଦାନ କେନ୍ଦ୍ର ନିର୍ଦ୍ଧାରଣ ସମ୍ପନ୍ନ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି ।
ଜିଲ୍ଲାପାଳ ଶ୍ରୀ ସୟ୍ ସୂଚନା ଦେଇଥିଲେ ଯେ, ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ ପରେ ଜିଲ୍ଲାରେ ମୋଟ ୨,୭୨୪ଟି ମତଦାନ କେନ୍ଦ୍ର ରହିଛି । ସେଥିମଧ୍ୟରୁ ପୂର୍ବରୁ ଥିବା ୨,୩୭୨ଟି ମତଦାନ କେନ୍ଦ୍ର ସହ ୩୫୨ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ଚିଠା ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ୧୮,୧୭,୬୮୦ ଜଣ ମତଦାତା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୯,୦୭,୨୩୮ ଜଣ ପୁରୁଷ, ୯,୧୦,୩୭୬ ଜଣ ମହିଳା ଏବଂ ୬୬ ଜଣ ତୃତୀୟ ଲିଙ୍ଗର ମତଦାତା ଅଛନ୍ତି । ସେ ଆହୁରି କହିଥିଲେ ଯେ, ପ୍ରାକ୍-ସଂଶୋଧନ (Pre-SIR) ପର୍ଯ୍ୟାୟରେ ଜିଲ୍ଲାର ମୋଟ ୧୯,୨୮,୯୪୭ ଜଣ ମତଦାତାଙ୍କ ମଧ୍ୟରୁ ୧୮,୩୩,୦୭୨ ଜଣଙ୍କ ସଫଳ ମ୍ୟାପିଂ କରାଯାଇଥିବାବେଳେ ଏହାର ସଫଳତା ହାର ୯୫.୦୩ ପ୍ରତିଶତ ରହିଛି। ସେହିପରି ଘରକୁ ଘର ଯାଇ ତଥ୍ୟ ସଂଗ୍ରହ ସମୟରେ ୧,୧୧,୨୬୭ଟି ଅଦ୍ୟତନ ଆବଶ୍ୟକ ଥିବା ମାମଲା ତଥା ଅଣ ସଂଗୃହୀତ ପରିଗଣନା ଫର୍ମ (Uncollectible Enumeration Forms) ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ୬୩,୯୪୬ ଜଣ ମୃତ ମତଦାତା, ୩୨,୬୨୩ ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତା, ୮,୬୭୧ ଜଣ ଅନୁପସ୍ଥିତ ମତଦାତା, ୫,୬୦୧ଟି ପୂର୍ବରୁ ପଞ୍ଜୀକୃତ ମାମଲା ଏବଂ ୪୨୬ଟି ଅନ୍ୟାନ୍ୟ ମାମଲା ରହିଛି ।
ଏହି ପ୍ରକ୍ରିୟାରେ ଦାବି ଓ ଆପତ୍ତିର ଶୁଣାଣି ଏବଂ ଫଇସଲା ୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମ୍ପନ୍ନ କରାଯିବ ଏବଂ ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବଡ଼ସାହି ନିର୍ବାଚନମଣ୍ଡଳୀ ଶ୍ରୀ ଦୁଃଖବନ୍ଧୁ ନାୟକ, ଉପ-ଜିଲ୍ଲାପାଳ, ବାରିପଦା ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବାରିପଦା ନିର୍ବାଚନମଣ୍ଡଳୀ ଶ୍ରୀମତୀ କସ୍ତୁରୀ ପଣ୍ଡା, ଅତିରିକ୍ତ ଉପ-ଜିଲ୍ଲାପାଳ, ବାରିପଦା ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ମୋରଡା ନିର୍ବାଚନମଣ୍ଡଳୀ ଶ୍ରୀ ରାଖାଲ ଚନ୍ଦ୍ର ପରିଡ଼ା ପ୍ରମୁଖଙ୍କ ସମେତ ସମସ୍ତ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ କ୍ରିସେନସିଆ ତିର୍କୀ ସୁଚାରୁରୂପେ ସଞ୍ଚାଳନ କରିଥିବାବେଳେ ଜିଲ୍ଲା ନିର୍ବାଚନ ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।