IMG 20260703 WA0156

ମୟୂରଭଞ୍ଜରେ ଜନଗଣନା–୨୦୨୭ର ପ୍ରାକ୍ ପରୀକ୍ଷଣ ପ୍ରଶିକ୍ଷଣ ଆରମ୍ଭ

ରାଜ୍ୟ
ବାରିପଦା : ଜନଗଣନା–୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଜନ ଗଣନା (Population Enumeration–PE) ପ୍ରାକ୍ ପରୀକ୍ଷଣ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷଠାରେ ୧ ଜୁଲାଇରୁ ୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶାର ଯୁଗ୍ମ ନିର୍ଦ୍ଦେଶକ ଡ଼. ଅଭୟ ନାରାୟଣ ନାୟକ, ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ଶ୍ରୀ ସୁଜିତ କୁମାର ପ୍ରଧାନ, ଶ୍ରୀ ଉମାକାନ୍ତ ସାହୁ, ଠାକୁରମୁଣ୍ଡା ତହସିଲଦାର, ଚାର୍ଜ ଅଫିସର ଶ୍ରୀ ସମ୍ବିତ କୁମାର କର, ମୟୂରଭଞ୍ଜର ଉପ ଜିଲ୍ଲା ଜନଗଣନା ଅଧିକାରୀ ମାନସୀ ତରାଇ ଏବଂ ତିନିଜଣ ପରିସଂଖ୍ୟାନ ଅନୁସନ୍ଧାନକାରୀ (ଗ୍ରେଡ୍–୨) ଉପସ୍ଥିତ ରହି ପ୍ରଶିକ୍ଷଣ ପରିଚାଳନା କରୁଛନ୍ତି।
ପ୍ରଶିକ୍ଷଣ ସମୟରେ ଶ୍ରୀ ଦୁଃଖବନ୍ଧୁ  ନାୟକ ଅତିରିକ୍ତ ଜିଲ୍ଲାପାଳ-ତଥା -ଜିଲ୍ଲା ଜଣ ଗଣନା ଅଧିକାରୀ, ମୟୂରଭଞ୍ଜ ଜନଗଣନା ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ସହ ଆଲୋଚନା କରି ଜନ ଗଣନା ପ୍ରାକ୍ ପରୀକ୍ଷଣର ପ୍ରସ୍ତୁତି ଓ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ଠାକୁରମୁଣ୍ଡା ଚାର୍ଜ ଅଧୀନରେ ୨୯ଟି ଗଣନା ବ୍ଲକ୍ (Enumeration Blocks-EBs) ପ୍ରାକ୍ ପରୀକ୍ଷଣ ପାଇଁ ଚୟନ କରାଯାଇଛି। ଏହି ପ୍ରଶିକ୍ଷଣରେ ୬ ଜଣ ସୁପରଭାଇଜର ଓ ୩୧ ଜଣ ଗଣନାକାରୀ ଅଂଶଗ୍ରହଣ କରି ଜନସଂଖ୍ୟା ଗଣନା ପ୍ରାକ୍ ପରୀକ୍ଷଣର ଧାରଣା, ପ୍ରକ୍ରିୟା ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।
ପୂର୍ବପରୀକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ ୧ ଜୁଲାଇରୁ ୫ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସ୍ୱୟଂ-ଗଣନା (Self-Enumeration) ପର୍ଯ୍ୟାୟ ଚାଲିବ। ଏହା ପରେ ୬ ଜୁଲାଇରୁ ୧୮ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଘରକୁ ଘର ଯାଇ ଜନସଂଖ୍ୟା ଗଣନା (Door-to-Door Population Enumeration) କରାଯିବ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ୧୯ ଜୁଲାଇରୁ ୨୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସଂଶୋଧନ ପର୍ଯ୍ୟାୟ (Revisional Round) ମାଧ୍ୟମରେ ଆବଶ୍ୟକ ସ୍ଥଳରେ ତଥ୍ୟର ଯାଞ୍ଚ ଓ ଅଦ୍ୟତନ କରାଯିବ।
ଏହି ପ୍ରାକ୍ ପରୀକ୍ଷଣ ଜନଗଣନା–୨୦୨୭ର ସଫଳ ରୂପାୟଣ ପାଇଁ କ୍ଷେତ୍ରସ୍ତରରେ ପ୍ରକ୍ରିୟା, ପ୍ରଶ୍ନାବଳୀ ଏବଂ ଡିଜିଟାଲ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ପରୀକ୍ଷା କରିବାରେ ସହାୟକ ହେବ।