ସାଲେପୁର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ କଟକ ଜିଲ୍ଲା ସାଲେପୁର ନିକଟବର୍ତ୍ତୀ ପିକୋଳ ଗ୍ରାମରେ ଅବସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ଟ୍ରଷ୍ଟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇ ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା | ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ସଭାପତି ମେଜର ମଞ୍ଜୁଶ୍ରୀ ପତି | ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ଶ୍ରୀଯୁକ୍ତ ଗୋପବନ୍ଧୁ ପରିଡ଼ା ଜିଲ୍ଲା ଉପନିବନ୍ଧକ, କଟକ | ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ ସାଲେପୁର ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ସାହୁ | ପ୍ରଥମେ ଟ୍ରଷ୍ଟର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଟ୍ରଷ୍ଟର ବାର୍ଷିକ ବିବରଣୀ ପାଠ କରିଥିଲେ | ଏହା ପରେ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ |


ଏହି ପରିପ୍ରେକ୍ଷୀରେ ନିଜର ପ୍ରଶାସନିକ ଦକ୍ଷତା, ସଚ୍ଚୋଟତା ସହିତ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ନିରବଚ୍ଛିନ୍ନ ଅବଦାନ ଲାଗି ଟ୍ରଷ୍ଟ ପକ୍ଷରୁ ଶ୍ରୀଯୁକ୍ତ ଗୋପବନ୍ଧୁ ପରିଡ଼ା ଜିଲ୍ଲା ଉପନିବନ୍ଧକ, କଟକଙ୍କୁ ସମ୍ମାନଜନକ ‘ଚନ୍ଦ୍ରମଣି-ଗୋପୀନାଥ ସ୍ମୃତି ସମ୍ମାନ – ୨୬’ ରେ ସମ୍ମାନିତ କରାଯାଇଥିଲା | ଟ୍ରଷ୍ଟର ମାର୍ଗଦର୍ଶକ ତଥା ଜଏଣ୍ଟ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ରବୀନ୍ଦ୍ର କିଶୋର ମହାନ୍ତି ଶ୍ରୀଯୁକ୍ତ ଗୋପବନ୍ଧୁ ପରିଡ଼ାଙ୍କୁ ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ | ଏଥିସହିତ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ମିଲନ କୁମାର ସାହୁଙ୍କୁ ‘ସଭାପତି ମେଧା ପୁରସ୍କାର’ ସ୍ବରୂପ ୧ ହଜାର ଟଙ୍କା ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା |
ସମ୍ବର୍ଦ୍ଧିତ ପ୍ରତିଭା ତଥା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗୋପବନ୍ଧୁ ପରିଡ଼ା ଟ୍ରଷ୍ଟର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ଏହିଭଳି କାର୍ଯ୍ୟକ୍ରମ ସମାଜକୁ ନୂଆ ଦିଗ ପ୍ରଦାନ କରିବ ବୋଲି କହିଥିଲେ | ଏହି ଅବସରରେ ସେ ଟ୍ରଷ୍ଟଦ୍ବାରା ପ୍ରତିଷ୍ଠିତ ତାରା ଗୋପୀନାଥ ପୁସ୍ତକାଗାରକୁ ପୁସ୍ତକ ଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପଦେଷ୍ଟା ଡ. ଉମେଶଚନ୍ଦ୍ର ପତି, ପୂର୍ଣ୍ଣଚନ୍ଦ୍ର ଓଝା, ଶାରଦାପ୍ରସାଦ ରଥ, ଡ. ପ୍ରଭାତ କିଶୋର ନାୟକ, ଦିବାକର ପ୍ରଧାନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ | ଇଂ. ହରିହର ତ୍ରିପାଠୀ ସଭାକାର୍ଯ୍ୟକୁ ସଞ୍ଚାଳନ କରିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟର ସଂପାଦକ ମହେଶଚନ୍ଦ୍ର କର | ଏହି ଅବସରରେ ବିଶିଷ୍ଟ ବିଜ୍ଞାନ ଲେଖକ ସୁକାନ୍ତ କିଶୋର ମହାନ୍ତିଙ୍କ ପୁସ୍ତକ ‘ଚିଙ୍ଗୁଡ଼ି ଚାଷ – ଥାଇଲାଣ୍ଡ ରୁ ଓଡ଼ିଶା’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ |
ଏହି ଅବସରରେ ବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀମାନଙ୍କ ଭିତରେ କରାଯାଇଥିବା କଂପ୍ୟୁଟର କୁଇଜ ପ୍ରତିଯୋଗତାରେ କୃତି ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା | ଟ୍ରଷ୍ଟର ଜୈବିକ କୃଷି, ଗୋନାଇଲ ଉତ୍ପାଦନ, ଜିଆଖତ, ଜାପାନୀ ପୁଦିନା ଚାଷ, ତୁଳସୀ ତେଲ, ଗୋଲାପ ତେଲ ଉତ୍ପାଦନ କାର୍ଯ୍ୟକ୍ରମରେ ସବୁବେଳେ ସହାୟତା କରି ଆସୁଥିବା ଚାଷୀ ଓ ସହକାରୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ |
