ଭେନେଜୁଏଲା: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଛନ୍ତି । ଧ୍ୱଂସାବଶେଷ ତଳେ ବହୁ ଲୋକ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ବିପନ୍ନଙ୍କୁ ଉଦ୍ଧାର ପାଇଁ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ସେନାକୁ ମଧ୍ୟ ମୁତୟନ କରାଯାଇଛି । ଭୂମିକମ୍ପ ପରେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି ଦେଲସି ରୋଡ୍ରିଗେଜ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି।
ପ୍ରଥମେ ୭.୨ ଏବଂ ଏହାର କିଛି ସେକେଣ୍ଡ ପରେ ୭.୫ ତୀବ୍ରତାର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ କାରିବିଆନ୍ ଉପକୂଳରେ ମୋରୋନ୍ ସହରରୁ ପ୍ରାୟ ୨୮ କିଲୋମିଟର ପଶ୍ଚିମରେ ଥିଲା ଏବଂ ଏହାର ଗଭୀରତା ୧୩ କିଲୋମିଟର ଥିବା ଜଣାପଡିଛି । ଭୂକମ୍ପ ଯୋଗୁଁ ଲୋକେ ଭୟରେ ଘର ବାହାରକୁ ଦୌଡ଼ି ପଳାଇଆସିଥିଲେ । ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଏହାରି ମଧ୍ୟରେ ଭେନେଜୁଏଲାର ଗୃହମନ୍ତ୍ରୀ ଦିଓସଡାଡୋ କାବେୟୋ କହିଛନ୍ତି ଯେ କାରାକାସର ଆଲଟାମିରା ଅଞ୍ଚଳର ପରିସ୍ଥିତି ବହୁତ ଗମ୍ଭୀର ରହିଛି । ଅନେକ ଘର ଏବଂ କୋଠା ଭୁଶୁଡ଼ି ପଡ଼ିଛି । ଭୂକମ୍ପ ପରେ ଦୁର୍ବଳ କୋଠାଗୁଡ଼ିକୁ ଆହୁରି କ୍ଷତି ପହଞ୍ଚାଇପାରେ । ତେଣୁ ଲୋକଙ୍କୁ ଘର ଭିତରକୁ ନ ଯିବାକୁ ସେ ଅନୁରୋଧ କରିଛନ୍ତି । କିଛି ଲୋକ ଆହତ ହୋଇଥିବା ରିପୋର୍ଟ ହୋଇଛି । ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଯାନବାହନ ପାଇଁ ରାସ୍ତା ଛାଡ଼ିବାକୁ ମଧ୍ୟ ଡ୍ରାଇଭରମାନଙ୍କୁ କୁହାଯାଇଛି । ଏବେ ପ୍ରଶାସନ ସ୍ଥିର ନିୟମ ମଧ୍ୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଅନ୍ୟପଟେ ଆମେରିକା ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର ପୁଏର୍ଟୋ ରିକୋ ଏବଂ ଭର୍ଜିନ୍ ଦ୍ୱୀପପୁଞ୍ଜ ପାଇଁ ସୁନାମି ସତର୍କତା ଜାରି କରିଛି ।
