Bee attack 2026 06 12 17 15

ମହୁମାଛି, ଆକ୍ରମଣରେ ମହିଳା ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ରାଜ୍ୟ

ଭଦ୍ରକ : ମହୁମାଛି ଆକ୍ରମଣରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୂ ଘଟିଛି। ଏହା ସହ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଏରଡ଼ା ପଞ୍ଚାୟତର ବାସୁଆପଦା ଗାଁରେ। ଗ୍ରାମର ରଜନୀକାନ୍ତ ସାହୁଙ୍କ ସ୍ତ୍ରୀ ବାସନ୍ତୀ ଲତା ମହୁ ମାଛି ଆକ୍ରମଣରେ ଜୀବନ ହରାଇଛନ୍ତି।
ଗତକାଲି (ଗୁରୁବାର) ବାସନ୍ତୀ ଲତାଙ୍କ ଶାଶୁଙ୍କ ଶ୍ରାଦ୍ଧ ବାର୍ଷିକୀ ଥିଲା। ଘରେ ବନ୍ଧୁବାନ୍ଧବ ଜମା ହୋଇଥିଲେ। ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ‌ବନ୍ଧୁ ଓ ସମ୍ପର୍କୀୟଙ୍କ ନିମନ୍ତେ ରୋଷେଇ ଚାଲିଥିଲା। ରୋଷେଇଆଙ୍କ ପାଇଁ ଚାହା ନେଇ ବାସନ୍ତି ଯାଇଥିଲେ । ଏହି ସମୟରେ ନିଜ ଘର ଆଗରେ ଥିବା ଏକ ପାଣିଟାଙ୍କି ମହୁବସାରୁ ହଠାତ୍‌ ହଜାର ହଜାର ସଂଖ୍ୟାର ବାଘୁଆ ମହୁମାଛି ବାହାରି ଆକ୍ରମଣ କରିଥିଲେ।
ରନ୍ଧାସ୍ଥଳରେ ଥିବା ପ୍ରାୟ ୨୦ରୁ ଊର୍ଦ୍ଧ ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଲୋକମାନେ ଜୀବନବିକଳରେ ଯିଏ ଯେଉଁଆଡ଼େ ପାରିଲା ଦୌଡ଼ିଥିଲା। ତେବେ ବାସନ୍ତୀଙ୍କୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇନଥିଲେ। ବହୁ ସଂଖ୍ୟାରେ ମହୁମାଛି ଆକ୍ରମଣ କରିବା ପରେ ସେ ଗୁତୁତର ହୋଇପଡ଼ିଥିଲେ। କୌଣସି ମତେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଓ ପରେ ଭୁବନେଶ୍ୱରରେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଅନ୍ୟ ଆହତ ମାନେ ଡାକ୍ତରଖାନା ପରେ ଏବେ ଘରେ ଚିକିତ୍ସିତ ହେଉଛନ୍ତି। ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।