ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଦ୍ୱାଦଶ ଦିନରେ ବଡ଼ ସଫଳତା ହାସଲ କରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୯୪.୩୭ ପ୍ରତିଶତ ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚାଇବାରେ ବୁଥ୍ସ୍ତରୀୟ ଅଧିକାରୀମାନେ ସଫଳ ହୋଇଛନ୍ତି।
ସରକାରୀ ସୂଚନା ଅନୁସାରେ, ରାଜ୍ୟର ମୋଟ ୩ କୋଟି ୧୫ ଲକ୍ଷ ୧୮ହଜାର ୪୧୨ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି, ତନ୍ମଧ୍ୟରୁ ୩୯ଲକ୍ଷ ୮୩ହଜାର ୪୮୬ ଜଣ ଭୋଟର୍ଙ୍କର ଡିଜିଟାଇଜ୍ କରାଯାଇଛି। ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ ୨୮ ରହିଛି। ତେଣୁ ଯେଉଁ ଭୋଟରମାନେ ଏପର୍ଯ୍ୟନ୍ତ ଫର୍ମ ଦାଖଲ କରିନାହାନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ଥାନୀୟ ବିଏଲଓ ଙ୍କ ନିକଟରେ ଫର୍ମ ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ଏହାବ୍ୟତୀତ ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରି, ତଥ୍ୟ ପୂରଣ କରି ନିଜେ ମଧ୍ୟ ଅପଲୋଡ୍ କରିପାରିବେ।
ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ଦାଖଲ ନ କଲେ ଭୋଟର ତାଲିକାରୁ ନାମ ବାଦ୍ ପଡ଼ିବାର ସମ୍ଭାବନା ଥିବାରୁ ଏହାକୁ ଗୁରୁତ୍ୱର ସହ ନେବାକୁ ଭୋଟରମାନଙ୍କୁ ପରାମର୍ଶ ଦିଆଯାଇଛି।
ଏଥିସହ କୌଣସି ଭୋଟରଙ୍କର ଫର୍ମ ବଣ୍ଟନ, ସଂଶୋଧନ କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ, ସେମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରି ସହାୟତା ପାଇପାରିବେ।
ରାଜ୍ୟରେ ସ୍ୱଚ୍ଛ, ସଠିକ୍ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଚାଲିଥିବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନରେ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଲୋଡ଼ାଯାଇଛି। ବାକି ଥିବା ଭୋଟରମାନେ ଶେଷ ତାରିଖ ପୂର୍ବରୁ ଫର୍ମ ଦାଖଲ କରି ନିଜର ଭୋଟାଧିକାର ସୁନିଶ୍ଚିତ କରିବାକୁ କୁହାଯାଇଛି।
