କୋଲକାତା: ତୃଣମୂଳ କଂଗ୍ରେସ ଦଳରେ ରାଜନୈତିକ ସଙ୍କଟ ଏବେ ଅତି ଗମ୍ଭୀର ରୂପ ନେଇଛି ଏବଂ ଏହା ଏବେ ସଂସଦରେ ପହଞ୍ଚିଛି। ୟୁସୁଫ ପଠାନ, ସାୟୋନି ଘୋଷ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପରି ବରିଷ୍ଠ ନେତା ମଧ୍ୟ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ କରିବା ସହ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସେମାନେ ବିଦ୍ରୋହ ତାଲିକାରେ ସ୍ବାକ୍ଷର କରିଛନ୍ତି। ତାଲିକାରେ ମୋଟ୍ ୧୯ ବିଦ୍ରୋହୀ ନେତା ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପାର୍ଥ ଭୌମିକ, କାକଳି ଘୋଷ ଦସ୍ତିଦାର, ବାପି ହଲଦର, ରଚନା ବାନାର୍ଜୀ, ଅସିତ ମଲ, କେ ରେହମାନ, ଶର୍ମିଳା ସରକାର, ମିତାଲି ବାଗ୍ । ପଶ୍ଚିମବଙ୍ଗ ବିଧାନସଭାରେ ବଡ଼ ଧରଣର ବିଦ୍ରୋହ ସହ ସାଂସଦମାନଙ୍କ ମଧ୍ୟରେ ଏଭଳି ଅପ୍ରତ୍ୟାଶିତ ବିଦ୍ରୋହ ମମତା ବାନାର୍ଜୀଙ୍କ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଦୀର୍ଘ ୨୮ ବର୍ଷର ଇତିହାସରେ ଏହା ଟିଏମ୍ସି ପାଇଁ ସବୁଠାରୁ ବଡ଼ ସଙ୍କଟ ହୋଇଛି। ବିଧାନସଭା ନିର୍ବାଚନ ହାରିବାପରେ ଟିଏମ୍ସି ଦଳରେ ଏଭଳି ଆନ୍ତଃ କନ୍ଦଳ କେବଳ ରାଜ୍ୟରେ ଏହାର ପ୍ରଭାବକୁ ବିପଦରେ ପକାଇନାହିଁ ବରଂ ଶାସକ ଏନ୍ଡିଏକୁ ଏହାଦ୍ବାରା ସଂସଦରେ ଫାଇଦା ମିଳିବ। ଟିଏମ୍ସିର ଏବେ ଲୋକସଭା ସାଂସଦଙ୍କ ସଂଖ୍ୟା ୨୮।
ବସିରହାଟ ସାଂସଦ ହାଜି ନୁରୁଲ ଇସଲାମଙ୍କ ମୃତ୍ୟୁ ପରେ ଲୋକସଭାରେ ଟିଏମ୍ସି ଆସନ ସଂଖ୍ୟା ଗୋଟିଏ କମିଛି। ଏବେ ଟିଏମ୍ସି ଦଳରେ ଯେଉଁ ବିଦ୍ରୋହ ଦେଖାଦେଇଛି ତା’ ଦ୍ବାରା ଗୃହରେ ମମତାଙ୍କ ପ୍ରତି ସମର୍ଥନ କମିଯାଇଛି। ଉଲ୍ଲେଖଯୋଗ୍ୟ ଗତ ସୋମବାର କାକଳି ଘୋଷ ଦସ୍ତିଦାର ଦାବି କରିଥିଲେ ଯେ ଅନେକ ଟିଏମ୍ସି ସାଂସଦ ମମତା ବାନାର୍ଜୀଙ୍କ ହାତ ଛାଡ଼ିଦେବାପାଇଁ ପ୍ରସ୍ତୁତ ହେଉଛନ୍ତି। ଦଳରୁ ଇସ୍ତଫା ଦେଇଥିବା କାକଳି ଏବେ ସଂସଦୀୟ ବିଦ୍ରୋହର ଚେହେରା ପାଲଟିଛନ୍ତି। ବିଦ୍ରୋହୀ ସାଂସଦମାନଙ୍କର ସ୍ବାକ୍ଷର ଥିବା ଏକ ପତ୍ର ବାଚସ୍ପତିଙ୍କ ନିକଟରେ ଦାଖଲ କରାଯାଇଛି ବୋଲି କାକଳି ଘୋଷ କହିଛନ୍ତି। ତେବେ ବିଦ୍ରୋହୀ ନେତାମାନେ ଦାବି କରିଛନ୍ତି ଯେ ସେମାନେ ବିଜେପିରେ ଔପଚାରିକ ଭାବେ ଯୋଗ ଦେବାପାଇଁ ଯୋଜନା କରିନାହାନ୍ତି। ସେମାନେ କହିଛନ୍ତି, ଆମେ ବିଜେପିରେ ଯୋଗ ଦେବୁନାହିଁ। ଆମେ ଏନ୍ଡିଏକୁ ବାହାରୁ ସମର୍ଥନ କରିବୁ। ଇତି ମଧ୍ୟରେ ଟିଏମ୍ସି ସାଂସଦ ମହୁଆ ମୈତ୍ର ବିଦ୍ରୋହୀ ଗୋଷ୍ଠୀଙ୍କୁ ସମାଲୋଚନା କରିଛନ୍ତି ଏବଂ ସେମାନଙ୍କୁ ବିଶ୍ବାସଘାତ କହିଛନ୍ତି।
ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କର ନିଜ ଦଳ ଉପରେ ନିୟନ୍ତ୍ରଣ ଦୁର୍ବଳା ହେବାରେ ଲାଗିଛି। ୬୦ ଜଣ ଟିଏମ୍ସି ବିଧାୟକ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବକୁ ସମର୍ଥନ କରିବାପରେ ବିଦ୍ରୋହ ଏବେ ସଂସଦ ପର୍ଯ୍ୟନ୍ତ ପହଞ୍ଚିଲାଣି। ମମତାଙ୍କ ବିଶ୍ବସ୍ତ ସହଯୋଗୀ ଶୁଖେନ୍ଦୁ ଶେଖର ରାୟ ରାଜ୍ୟସଭା ଛାଡ଼ିବାର କିଛି ସପ୍ତାହ ପରେ ସୁସ୍ମିତା ଦେବ ଆଜି ରାଜ୍ୟସଭା ଏବଂ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଏହା ମମତାଙ୍କୁ ଆଉ ଏକ ଶକ୍ତ ଝଟ୍କା। ସୁସ୍ମିତା ଦେବ ପୂର୍ବରୁ କଂଗ୍ରେସରେ ଥିବା ସମୟରେ ଆସାମର ସିଲଚରରେ ଲୋକସଭା ସାଂସଦ ଥିଲେ। ୨୦୧୯ରେ ସେ ଦଳ ଛାଡ଼ିବାପରେ ୨୦୨୧ରେ ତୃଣମୂଳ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ତେବେ ଟିଏମ୍ସିରେ ସେ ଖୁବଶୀଘ୍ର ଦଳର ଜାତୀୟ ମୁଖପାତ୍ର ହୋଇଥିଲେ ଏବଂ ପରେ ନିଜ ପାଇଁ ରାଜ୍ୟସଭା ପଦ ସୁରକ୍ଷିତ ରଖିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସୁସ୍ମିତା ଦେବ ଆଜି ରାଜ୍ୟସଭାରୁ ଇସ୍ତଫା ଦେବାପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ଦିଲ୍ଲୀରେ ଭେଟିଛନ୍ତି।
ମିଳିଥିବା ସୂଚନାନୁଯାୟୀ ସେ ବିଜେପିରେ ଯୋଗ ଦେଇପାରନ୍ତି। ଏକ ସୂତ୍ର ପୁଣିଥରେ ସ୍ପଷ୍ଟ କରିଛି ଯେ ସୁସ୍ମିତା ଦେବ ଆସାମରେ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ଯେଉଁଠାରେ ଆଗକୁ ଉପନିର୍ବାଚନ ହେବାକୁ ଯାଉଛି। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରୀଷ୍ଣନଙ୍କୁ ଏକ ଚିଠି ଲେଖି ସେ ତାଙ୍କ ଇସ୍ତଫାପତ୍ରକୁ ତୁରନ୍ତ ଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି। ସୁସ୍ମିତା ଦେବ କହିଛନ୍ତି, ତାଙ୍କ ରାଜନୈତିକ ଭବିଷ୍ୟତ ପଶ୍ଚିମବଙ୍ଗରେ ନାହିଁ ବରଂ ଆସାମରେ ରହିଛି। ଏଭଳି ନିଷ୍ପତ୍ତି ନେବାର କାରଣ ପଚାରିବାରୁ ଦେବ କହିଛନ୍ତି, ଏଥିପାଇଁ ଉଭୟ ବ୍ୟକ୍ତିଗତ ଏବଂ ରାଜନୈତିକ କାରଣ ରହିଛି। ତେବେ ମମତା ବାନାର୍ଜୀଙ୍କ ସଂକ୍ରାନ୍ତରେ ସେ କୌଣସି ଟିପ୍ପଣୀ ଦେଇନାହାନ୍ତି। ସୁସ୍ମିତା ଦେବ କହିଛନ୍ତି, ମୁଁ ଟିଏମ୍ସି ଦଳ ଛାଡ଼ିବାର ଏକ ଲମ୍ବା କାହାଣୀ ରହିଛି। ମୁଁ ଏକ ସଙ୍ଗେ ୨ଟି ଡଙ୍ଗାରେ ଗୋଡ଼ ଦେବାପାଇଁ ଚାହେନା କି ମମତା ଦିଦିଙ୍କ ସଂକ୍ରାନ୍ତରେ ମୁଁ ଏବେ କୌଣସି ଟିପ୍ପଣୀ ଦେଇପାରିବି ନାହିଁ।
