IMG 20260606 WA0192

୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ ଉଦଯାପିତ

ରାଜ୍ୟ
  •  ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ନାଟକ “ନଈର ଠିକଣା “
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ଆୟୋଜିତ ୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବର ଉଦଯାପିନୀ ସନ୍ଧ୍ୟାରେ  ନାଟକ “ନଈର ଠିକଣା” ମଞ୍ଚସ୍ଥ ହୋଇଯାଇଛି I ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ସଞ୍ଜୟ ଚୌଧୁରୀ ଓ ବ୍ୟାଙ୍କ ଅଫ ଇଣ୍ଡିଆ ର ଡେପୁଟି ଜୋନାଲ ମ୍ୟାନେଜର ନିଶ୍ଚିତ କୁମାର ନାଟ୍ୟ ମହୋତ୍ସବର ସଫଳତାର ସହ ସମ୍ପନ୍ନ କରିଥିବା ଆୟୋଜକ ତଥା ନାଟ୍ୟ ସଂସ୍ଥାମାନଙ୍କର ପ୍ରଶଂସା କରିଥିଲେ I ଜ୍ଞାନରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଅସିତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ I
“ପୁରବୀ”, ବାରିପଦା ପ୍ରଯୋଜିତ ଏବଂ ଡଃ ପଞ୍ଚାନନ ପାତ୍ରଙ୍କ ରଚିତ ଓ ଡଃ ପ୍ରକାଶ ଚନ୍ଦ୍ର ଦାଶଙ୍କ ନିର୍ଦ୍ଦେଶିତ ନାଟକରେ ଡଃ ସତ୍ୟନାରାୟଣ ଦାସ, ଅମିତ ଦେବଦର୍ଶୀ, ଅସିତ ଗିରି, ଦିପ୍ତୀସ୍ମିତା ସାହୁ, ସୁବ୍ରତ କୁମାର ବସା, ଅଶୋକ କୁମାର ପଟ୍ଟନାୟକ, ନନ୍ଦଲାଲ ସିଂ, ଶୁଭମ କୁମାର ସାହୁ ଓ ରାଜେଶ ଦାଶ ଅଭିନୟ କରିଥିବା ବେଳେ ମଞ୍ଚସଜ୍ଜାରେ ସନାତନ ରଣା, ସଂଗୀତରେ ଶାନ୍ତନୁ ସିଂହ, ଆଲୋକରେ ଅନିକେତ ଦାସ, ମଞ୍ଚ ପରିଚାଳନାରେ ସତ୍ୟାନନ୍ଦ ଶେଜପଡା, ସହ ନିର୍ଦ୍ଦେଶନାରେ ଅମିତ ଦେବଦର୍ଶୀ ଓ ଗୀତରେ ଡଃ ସତ୍ୟନାରାୟଣ ଦାସ ଓ ରାଜେଶ ଦାଶ ସହଯୋଗ କରିଥିଲେ I ଏହି ଅବସରରେ ନାଟ୍ୟକାର ଓ ନିର୍ଦ୍ଦେଶକଙ୍କ ସମେତ ସମସ୍ତ କଳାକାରଙ୍କୁ ଆୟୋଜକଙ୍କ ତରଫରୁ ସମ୍ମାନିତ କରାଯାଇଥିଲା I ତତସହିତ ବରିଷ୍ଠ ଅଭିନେତା ତଥା ନାଟ୍ୟ ସଂଗଠକ ସ୍ବର୍ଗତ ସେବାନନ୍ଦ ନାରାୟଣ ଦେବଙ୍କୁ ମରଣତ୍ତୋର “ବାରିପଦା କଳାକାର ପରିବାର ସମ୍ମାନ” ରେ ତାଙ୍କ ସହଧର୍ମିଣୀ ଦିପ୍ତୀରାଣୀ କରଙ୍କୁ ପ୍ରଦାନ କରାଯାଇଥିଲା I ପ୍ରତ୍ୟେକ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ନାଟକକୁ ଉପଭୋଗ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିବାରୁ ବାରିପଦା କଳାକାର ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା I