IMG 20260604 WA0262

୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟା, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ନାଟକ “ଗୋଇଠା ବାବା

ରାଜ୍ୟ
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ଆୟୋଜିତ ୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଗୋଇଠା ବାବା” I ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣନନ୍ଦ ମହାନ୍ତି, ଆର ଏମ ସି ଉପାଧ୍ୟକ୍ଷ ମଳୟ କୁମାର ଜେନା, ନାଟ୍ୟକାର କ୍ଷୀରୋଦ ବିହାରୀ ସିଟ, ଉପ ସଭାପତି ଡଃ ପ୍ରକାଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I
ଅନ୍ୟମାନଙ୍କ ମଧ୍ୟରେ କଳାକାର ପରିବାରର ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଥିବା ଦର୍ଶକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ I ଜ୍ଞାନରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଅସିତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ I “ବାସ୍ତବ” ନାଟ୍ୟ ସଂସ୍ଥା ପ୍ରଯୋଜିତ ଏବଂ ରଣଜିତ ପଟ୍ଟନାୟକଙ୍କ ରଚିତ ଓ ଅନ୍ନଦା ଶଙ୍କର ଦାଶଙ୍କ ନିର୍ଦ୍ଦେଶିତ ନାଟକରେ ରାଜେନ୍ଦ୍ର ସାହୁ, ସୁଧାଂଶୁ ଚକ୍ର, ଧର୍ମପଦ ନନ୍ଦୀ, ସୋମନାଥ ସିଂହ, କୁନ୍ଦନ ଭଞ୍ଜ, ମନୋରଞ୍ଜନ ପରିଡା, ସତ୍ୟଜିତ ସାହୁ, ସୁବ୍ରତ କୁମାର ଦେ, ଅନ୍ନଦା ଶଙ୍କର ଦାଶ ଓ ଲିପ୍ସା ପଣ୍ଡା ଅଭିନୟ କରିଥିବା ବେଳେ ମଞ୍ଚସଜ୍ଜାରେ ନରସିଂହ ବାରିକ, ସଂଗୀତରେ ଗୁରୁ ନନ୍ଦକିଶୋର ଦାସ, ରୂପସଜ୍ଜାରେ ମନୋରଞ୍ଜନ ମହାନ୍ତ, ଆଲୋକରେ ଅନିକେତ ଦାସ ଓ ମଞ୍ଚ ପରିଚାଳନାରେ ସତ୍ୟାନନ୍ଦ ଶେଜପଡା ସହଯୋଗ କରିଥିଲେ I ଆଜିର ସମାଜରେ ସାଧାରଣ ନାଗରିକଟିଏ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାର ଅପ୍ରତିହତ ଚାପକୁ ସହ୍ୟ କରିନପାରି ଗୋଇଠା ବାବା ହୋଇଯାଏ I ଶେଷରେ ନିଜର କ୍ରୋଧ ଓ ଘୃଣାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଥାଏ I
ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକରେ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା I ଏହି ଅବସରରେ ନିର୍ଦ୍ଦେଶକଙ୍କ ସମେତ ସମସ୍ତ କଳାକାରଙ୍କୁ ଆୟୋଜକଙ୍କ ତରଫରୁ ସମ୍ମାନିତ କରାଯାଇଥିଲା I ଓଡିଶାର ପ୍ରତିଷ୍ଠିତ ନାଟ୍ୟକାର ସ୍ବର୍ଗୀୟ ରଣଜିତ ପଟ୍ଟନାୟକଙ୍କ ସହଧର୍ମିଣୀ ଦୀପ୍ତି ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I ଆସନ୍ତାକାଲି  ଶୁକ୍ରବାର “ଉଜ୍ଜୟିନୀ” ନାଟ୍ୟଶାଳା ନିବେଦିତ ତଥା ସୋମନାଥ ସାହୁଙ୍କ ରଚିତ ଓ ମହେଶ ସାହୁ (ତପୁବାବା)ଙ୍କ ନିର୍ଦ୍ଦେଶିତ ନାଟକ “ମିଡିଲ କ୍ଲାସ” ମଞ୍ଚସ୍ଥ ହେବ ବୋଲି ଗଣମାଧ୍ୟମ ସଂଯୋଜକ  ସୋମନାଥ ସିଂହ ସିଂହ ଜଣାଇଛନ୍ତି l