ବାରିପଦା : ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ମୟୂରଭଞ୍ଜ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଧନୁର୍ଜୟ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଥିଲା ।
ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇ ବାରିପଦା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଶୋଭାଯାତ୍ରା ମାଧ୍ୟମରେ ତମାଖୁ, ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବ୍ୟବହାରର ସ୍ୱାସ୍ଥ୍ୟଗତ, ସାମାଜିକ ଓ ଆର୍ଥିକ କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସେହିପରି ବିଭିନ୍ନ ପାନ ଦୋକାନ ଓ ସାଧାରଣ ଲୋକଙ୍କ ମଧ୍ୟରେ ତମାଖୁ ବ୍ୟବହାରର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ପରବର୍ତ୍ତୀ ସଚେତନତା ସଭାରେ ବକ୍ତାମାନେ ତମାଖୁ ସେବନ ଦ୍ୱାରା ମୁଖ କର୍କଟ, ଫୁସଫୁସ କର୍କଟ, ହୃଦରୋଗ, ଷ୍ଟ୍ରୋକ ଭଳି ଗୁରୁତର ରୋଗ ସୃଷ୍ଟି ହେବା ସହ ଏହା ପରିବେଶ ଉପରେ ମଧ୍ୟ କୁପ୍ରଭାବ ପକାଉଥିବା ଉପରେ ଆଲୋକପାତ କରିଥିଲେ। ତମାଖୁର ପ୍ରଭାବ ଶିଶୁ ଓ ଯୁବପିଢ଼ୀ ଉପରେ କିପରି ପଡ଼ୁଛି ଏବଂ ସମାଜର ସମସ୍ତ ସ୍ତରରେ ସଚେତନତା ବୃଦ୍ଧି ମାଧ୍ୟମରେ ଏହାକୁ ରୋକାଯାଇପାରିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ତମାଖୁ ବିରୋଧୀ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ବିଜୟ କୁମାର ଦାସ, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଶାନ୍ତନୁ ଦାସ, ଜିଲ୍ଲା ଡ୍ରଗ୍ କଣ୍ଟ୍ରୋଲର ରୁଦ୍ର ନାରାୟଣ ସାହୁ, ଅଣ-ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଜ୍ଞାନେନ୍ଦ୍ର ମହାନ୍ତି, ଅତିରିକ୍ତ ପୁଲିସ ଅଧୀକ୍ଷକ ମମତା ସାହୁ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ମହାନ୍ତି ପ୍ରମୁଖ ତମାଖୁ ନିୟନ୍ତ୍ରଣ, COTPA ଆଇନର କାର୍ଯ୍ୟକାରିତା ଓ ତମାଖୁମୁକ୍ତ ମୟୂରଭଞ୍ଜ ଗଠନ ନେଇ ନିଜ ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଘାସିରାମ ମୁର୍ମୁ, ଟାଟା ମେମୋରିଆଲ ସେଣ୍ଟରର ପ୍ରତିନିଧି ଏବଂ କହ୍ନେଇ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।
