IMG 20260529 WA0216

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ରାଜ୍ୟ
 ବାରିପଦା : ୩୦ ମଇ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ ନିର୍ବାଚକଙ୍କ ଘରକୁ ଘର ପରିଦର୍ଶନ ଏବଂ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ , ୦୫ ଜୁଲାଇ ରେ ଚିଠା  ଭୋଟର ତାଲିକା ପ୍ରକାଶନ, ୦୫ ଜୁଲାଇ ରୁ ଅଗଷ୍ଟ ୦୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ, ସେପ୍ଟେମ୍ବର ୬  ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା| ଆସନ୍ତାକାଲିଠାରୁ ଜିଲ୍ଲାରେ ହେବାକୁ ଥିବା ସ୍ୱତନ୍ତ୍ର  ସଘନ ସଂଶୋଧନ (ଏସଆଇଆର)–୨୦୨୬ ସଂପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ୍ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ବିବରଣୀ ରଖିଛନ୍ତି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସୟ୍ ଅଧ୍ୟକ୍ଷତା କରି କହିଥିଲେ ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ସମୟସୂଚୀ ଘୋଷଣା କରାଯାଇଛି ।  ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାରେ ମଧ୍ୟ ୦୧ ଜୁଲାଇ ୨୦୨୬ ଏସ ଆଇ ଆର ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି । ୨୯ ମଇ ୨୦୨୬ ସୁଦ୍ଧା ରାଜ୍ୟରେ  ପ୍ରିଣ୍ଟିଂ, ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ହିଁ ବିଏଲଓ ଓ ବିଏଲଓ ସୁପରଭାଇଜର୍ ମାନଙ୍କର ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି ।
          ୩୦ ମଇ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବିଏଲଓମାନେ ନିର୍ବାଚକଙ୍କ ଘରକୁ ଯାଇ ପ୍ରତ୍ୟେକ ନିର୍ବାଚକ ପାଇଁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଏଥିରେ ନିର୍ବାଚକଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ଭନ୍ଧୀୟ ତଥ୍ୟ ଦେବାକୁ ପଡିବ । ବିଏଲଓ ମାନେ ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ କରିବେ ଓ ସେମାନଙ୍କ ସାମାନ୍ୟ ତ୍ରୁଟି କୁ ସଂଶୋଧନ କରିବେ ।
ସେହିପରି ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ଯେମିତି ବାଦ୍ ନ ପଡନ୍ତି ଓ ଅଯୋଗ୍ୟ ଭୋଟର  ଯେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି  ସେଥିପ୍ରତି ବିଏଲଓ ମାନଙ୍କୁ ସଜାଗ ରହିବାକୁ ଶ୍ରୀ ସୟ୍ ନିର୍ଦେଶ ଦେଇଛନ୍ତି।
୨୮ ଜୁନ୨୦୨୬ ସୁଦ୍ଧା ମତଦାନ କେନ୍ଦ୍ର ଗୁଡିକର ପୁନର୍ବିନ୍ୟାସ ହେବ । ୦୫ ଜୁଲାଇ ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ । ୦୫ ଜୁଲାଇ ରୁ ଅଗଷ୍ଟ ୦୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟହୋଇଥିବାବେଳେ, ୦୫ ଜୁଲାଇ୨୦୨୬ ରୁ ୦୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ/ଦାବି ଓ ଆପତ୍ତିର ସମାଧାନ ଓ ୦୬ ସେପ୍ଟେମ୍ବର ୨୦୨୬ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ଏସ.ଆଇ.ଆର ସମୟରେ ୨୭୨୪ ଜଣ ବୁଥ ସ୍ତରୀୟ ଅଧିକାରୀ ନିର୍ବାଚକଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ ।
ସ୍ୱତନ୍ତ୍ର ସଘନ ସଂଶୋଧନ କୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ରାଜନୈତିକ ଦଳମାନଙ୍କ ପୂର୍ବ ସହଭାଗୀତା ସହ କାର୍ଯ୍ୟାନ୍ଵୟନ କରିବାପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ମୋଟ ୩୦୯୦ ଜଣଙ୍କୁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ଭାବରେ ନିଯୁକ୍ତ କରାଯାଇଛି ।
ଘରକୁ ଘର ପରିଗଣନା ସମୟରେ, ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯିବ । ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ  ବୋଲି ଜିଲ୍ଲାପାଳ ଶ୍ରୀ ସୟ୍ ପ୍ରକାଶ କରିଛନ୍ତି ।
ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପଲୋଡ୍ କରିପାରିବେ ।
ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ । ଏହାସହ ନୂଆ ନିର୍ବାଚକ ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର (ସଂଲଗ୍ନ-IV) ପ୍ରଦାନ କରିବେ ।
କର୍ତ୍ତବ୍ୟ ସମୟରେ  ବିଏଲଓ ମାନେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ର ସମ୍ମୁଖୀନ ହୁଅନ୍ତି ତେବେ ତୁରନ୍ତ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲାପାଳ ଶ୍ରୀ ସୟ୍ ଆଲୋଚନା କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲାପାଳ(ନିର୍ବାଚନ) ଇଶ୍ୱର ଚନ୍ଦ୍ର ନାଏକ, ଡେପୁଟି କଲେକ୍ଟର(ନିର୍ବାଚନ) କ୍ରିସେନସିଆ ତିର୍କୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ nkସମେତ ଜିଲ୍ଲା ନିର୍ବାଚନ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l