- ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ଼ଃ କୃଷଚନ୍ଦ୍ର ମହାପାତ୍ର
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଚାମ୍ପିୟାନସିପକୁ ଉଦଘାଟନ କରିବା ସହ ଯୁବା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I
ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ଅମ୍ବିକା ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା) ଉପସ୍ଥିତ ଥିଲେ I ବାଳକ ବିଭାଗର ୧ମ ମ୍ୟାଚରେ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ୫-୦ ଗୋଲରେ ଚଢେଇଗାଁ ଉଚ୍ଚ ବିଦ୍ୟାଳୟ, ମୋରଡା କୁ, ୨ୟ ମ୍ୟାଚରେ ଦେଉଳି ଯୁନାଇଟେଡ଼ ଫୁଟବଲ କ୍ଲବ, ଶୁଳିଆପଦା ୫-୦ ଗୋଲରେ ଫିଉଚର ଷ୍ଟାର ଏକାଡେମୀ, ବାରିପଦା କୁ, ୩ୟ ମ୍ୟାଚରେ ବାଦାମପାହାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୭-୧ ଗୋଲରେ ୟୁ ଏନ ଜି ସରକାରୀ ଉଚ୍ଚ ବିଦ୍ୟାଳୟ, ବାରମାଇଲ କୁ ପରାସ୍ତ କରିଥିବା ବେଳେ ବାଳିକା ବିଭାଗରେ ସତକୋଶିଆ ଛଢ଼େଇଗାଁ ୧୪-୦ ଗୋଲରେ ଚଢେଇଗାଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରାସ୍ତ କରିଛି I
ବାପୁନ କୁମାର ମହାନ୍ତ, କେଶବ ସୋରେନ, ନାରାୟଣ ହାଁସଦା, ଯୁଗସେଙ୍ଗଲ ସୋରେନ, ସମ୍ରାଟ ହେମ୍ବ୍ରମ, ଲୋକନାଥ ହେମ୍ବ୍ରମ, ଅମ୍ବିକା ହେମ୍ବ୍ରମ, ସୁଭଦ୍ରା ହେମ୍ବ୍ରମ ଓ ସୋମବାରୀ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିୟାନସିପରେ ବାଳକ ବିଭାଗରେ ୭ଟି ଓ ବାଳିକା ବିଭାଗରେ ୪ଟି ଦଳ ଅଂଶଗ୍ରହଣ କରିଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ଶ୍ରୀନିବାସ ହେମ୍ବ୍ରମ ଓ ରାଇସେନ ଟୁଡୁ ଖେଳ ପରିଚାଳନାରେ ସହଯୋଗ କରିଥିଲେ I
