Coal blast

କୋଇଲା ଖଣିରେ ବିସ୍ଫୋରଣ, ୮୨ ମୃତ

ଦେଶ - ବିଦେଶ

ଚୀନ : ଚୀନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୮ ଜଣ ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ମିଳୁଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣା ଉତ୍ତର ଚୀନର ଶାଂସି ପ୍ରଦେଶରେ ଘଟିଛି । ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାନୁଯାୟୀ, ଚାଙ୍ଗଝି ସହରର ଲୁଶେନ୍ୟୁ କୋଇଲା ଖଣିରେ ଶୁକ୍ରବାର ରାତିରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ଖଣି ଭିତରେ ପ୍ରାୟ ୨୫୦ ଜଣ ଶ୍ରମିକ କାମ କରୁଥିଲେ । ପ୍ରାୟ ସନ୍ଧ୍ୟା ୭ଟା ୩୦ ମିନିଟରେ ଏହି ବିସ୍ଫୋରଣ ଘଟିଥିଲା । ଦୁର୍ଘଟଣା ପରେ ଖଣିରେ କାର୍ବନ ମନୋକ୍ସାଇଡ ଗ୍ୟାସ ବହୁମାତ୍ରାରେ ମିଳିଥିଲା । ଏହି ଗ୍ୟାସ ଅତ୍ୟନ୍ତ ବିଷାକ୍ତ ଏବଂ ବିନା ଗନ୍ଧରେ ଲୋକଙ୍କ ଜୀବନ ନେଇପାରେ । ଆଜି ସକାଳେ ଡଜନ ଡଜନ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା, କିନ୍ତୁ ଅନେକ ଭିତରେ ଫସି ରହିଥିଲେ । କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଭିତରେ ଫସି ରହିଥିବା ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଉଦ୍ଧାର ଏବଂ ରିଲିଫ୍ ଦଳ ।

ଅନ୍ୟପଟେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଆହତମାନଙ୍କ ଚିକିତ୍ସା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଏପରି ବଡ଼ ଦୁର୍ଘଟଣାକୁ ରୋକିବା ପାଇଁ କର୍ମକ୍ଷେତ୍ରରେ ସୁରକ୍ଷା ସତର୍କତା ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ଗ୍ୟାସ୍ ଲିକ୍ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି ।